ପେରୁ ସୁନା ଖଣିରେ ଭୟଙ୍କର ନିଆଁ, ୨୭ ଶ୍ରମିକ ଜୀବନ୍ତ ଦଗ୍ଧ

ପେରୁର ସୁନାଖଣିରେ ନିଆଁ ଲାଗି ୨୭ ଜଣଙ୍କର ମୃତ୍ୟୁ ହୋଇଛି । ସର୍ଟସର୍କିଟ ଯୋଗୁଁ ଖଣିରେ ବିସ୍ଫୋରଣ ହୋଇଥିଲା। ଫଳରେ ଖଣି ଭିତରେ ଥିବା କାଠ ଖୁଣ୍ଟରେ ନିଆଁ ଲାଗିଯାଇଥିଲା ।

ଦକ୍ଷିଣ ପେରୁର ଏକ ସୁନା ଖଣିରେ ନିଆଁ ଯିବାରୁ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଏହା ହେଉଛି ଦେଶର ସବୁଠାରୁ ବଡ ଖଣି ଦୁର୍ଘଟଣା । ପେରୁ ସରକାର ପକ୍ଷରୁ କୁହାଯାଇଛି ଯେ, ଶନିବାର ସକାଳେ ଦକ୍ଷିଣ ଆରେକିପା(Arequipa) ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ସୁନା ଖଣିରେ ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି। ତେବେ ସୁନା ଖଣିରେ ନିଆଁ ଲାଗିବା ଯୋଗୁଁ ପୀଡିତ ପରିବାର ଲୋକେ ଘଟଣାସ୍ଥଳରେ ନିଜ ଲୋକଙ୍କ ମୃତଦେହ ସନ୍ଧାନ କରୁଛନ୍ତି ।

ଏହି ଦୁର୍ଘଟଣାରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ୟାନକିହୁଆ ପୋଲିସ କହିଛି । ସର୍ଟ ସର୍କିଟ ଯୋଗୁଁ ସୁନା ଖଣିରେ ନିଆଁ ଲାଗିଯାଇଥିଲା। ଏହି ଛୋଟ ସୁନା ଖଣି ୟାନକିହୁଆ ନାମକ ଏକ ଫାର୍ମ ଦ୍ୱାରା ପରିଚାଳିତ ।

ପେରୁ ସ୍ଥାନୀୟ ମିଡିଆ ମୁତାବକ, ସର୍ଟସର୍କିଟ ଯୋଗୁଁ ଖଣିରେ ବିସ୍ଫୋରଣ ହୋଇଥିଲା। ଫଳରେ ଖଣି ଭିତରେ ଥିବା କାଠ ଖୁଣ୍ଟରେ ନିଆଁ ଲାଗିଯାଇଥିଲା । ଏହି ଖଣିର ଗଭୀରତା ୧୦୦ ମିଟର ଥିଲା । ତେବେ ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ଖଦାନରୁ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ଏହି ଘଟଣାରେ ପେରୁର ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି ଯେ ଏହି ଘଟଣାରେ ଆମେ ଦୁଃଖିତ। ୨୭ ଜଣଙ୍କ ମୃତ୍ୟୁ ପାଇଁ ଆମେ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ। ସରକାର ଭାବରେ ଆମେ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବୁ ବୋଲି ସୂଚନା ଦେଇଛନ୍ତି । ଏହାପୂର୍ବରୁ ୨୦୨୨ରେ ଖଣିଜନିତ ଦୁର୍ଘଟଣାରେ ୩୯ ଲୋକଙ୍କର ମୃତ୍ୟୁ ହୋଇଥିଲା ।