ଦୀପାବଳିର ୧୫ ଦିନ ପୂର୍ବରୁ ମଦ ବିକ୍ରିରେ ରାଜଧାନୀ ଦିଲ୍ଲୀ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଦିଲ୍ଲୀରେ ଅକ୍ଟୋବର ୧୫ରୁ ୩୦ ମଧ୍ୟରେ ୩.୮୭ କୋଟିରୁ ଅଧିକ ବୋତଲ ମଦ ବିକ୍ରି ହୋଇଛି । ଏଥିରୁ ଅବକାରୀ ବିଭାଗ ୪୪୭.୬୨ କୋଟି ଟଙ୍କାର ରାଜସ୍ଵ ଆୟ କରିଛି ।
ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଦିଲ୍ଲୀ ସରକାରଙ୍କ ୪ ନିଗମ ଦ୍ୱାରା ପରିଚାଳିତ ଦୋକାନଗୁଡ଼ିକରୁ ୧୫ ଦିନ ମଧ୍ୟରେ ୩.୮୭ କୋଟି ବୋତଲ ମଦ ବିକ୍ରି ହୋଇଛି । ଏଥିରେ ଭାରତ ତିଆରି ବିଦେଶୀ ମଦ ୨.୯୮ କୋଟି ବୋତଲ (IMFL) ଥିବାବେଳେ ୮୯.୪୮ ଲକ୍ଷ ହେଉଛି ବିୟର ବୋତଲ ।
ଅକ୍ଟୋବର ୩୧ରେ ଦୀପାବଳି ପାଳନ କରାଯାଇଥିଲା ଏବଂ ଏହି ଦିନ ‘ଡ୍ରାଏ ଡେ’ ଅର୍ଥାତ୍ ସହର ସାରା ସମସ୍ତ ମଦ ଦୋକାନ ବନ୍ଦ ରହିଥିଲା । ତଥ୍ୟ ମୁତାବକ, ଅକ୍ଟୋବର ୩୦ ଦୀପାବଳି ପୂର୍ବ ସନ୍ଧ୍ୟାରେ ମୋଟ ୩୩.୮୦ ଲକ୍ଷ ବୋତଲ ବିକ୍ରି ହୋଇଥିଲା, ଯେଉଁଥିରୁ ୬୧.୫୬ କୋଟି ଟଙ୍କାର ରାଜସ୍ଵ ପ୍ରାପ୍ତ ହୋଇଛି ।
ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦୀପାବଳିର ପୂର୍ବ ୧୫ ଦିନରେ ୧.୧୮ କୋଟି ଅଧିକ ବୋତଲ ମଦ ବିକ୍ରି ହୋଇଛି । ୨୦୨୩ରେ ୨.୬୯ କୋଟିରୁ ବଢ଼ି ଏଥର ୩.୮୭ କୋଟି ହୋଇଛି । ଦିଲ୍ଲୀ ଅବକାରୀ ବିଭାଗ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ (ଏପ୍ରିଲ-ଅକ୍ଟୋବର ୨୦୨୪)ରେ ୩,୦୪୭ କୋଟି ଟଙ୍କା ରାଜସ୍ଵ ଆୟ କରିଛି । ଅଧିକାରୀମାନେ କହିଛନ୍ତି, ୨୦୨୩ର ଅବଧି ତୁଳନାରେ ପାଖାପାଖି ୭ ପ୍ରତିଶତ ବୃଦ୍ଧି ଘଟିଛି ।