ଭୂମିକମ୍ପରେ ଥରିଲା ମହାରାଷ୍ଟ୍ରର ନାନ୍ଦେଡ, ରିକ୍ଟର ସ୍କେଲରେ ତୀବ୍ରତା ୩.୮

ମହାରାଷ୍ଟ୍ରର ନାନ୍ଦେଡ଼ ଜିଲ୍ଲାରେ ମଙ୍ଗଳବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ନାନ୍ଦେଡ଼ର ଉତ୍ତର ସହର, ହଦଗାଁ ଏବଂ ଅର୍ଧାପୁର ତାଲୁକାର କିଛି ଭାଗରେ ଭୂମିକମ୍ପ ଝଟକା ଅନୁଭବ କରାଯାଇଛି । ସକାଳ ୬ଟା ୫୨ ମିନିଟରେ ଭୂମିକମ୍ପ ଆସିଥିଲା । ଯଦିଓ ଏହାର ତୀବ୍ରତା କମ୍ ଥିଲା । ତେଣୁ କୌଣସି ବି ପ୍ରକାର କ୍ଷୟକ୍ଷତି ଘଟିନାହିଁ ।
ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୮ ମପାଯାଇଛି । ଏହାର କେନ୍ଦ୍ରସ୍ଥଳ ନାନ୍ଦେଡ଼ ସହରଠାରୁ ୨୯ କିଲୋମିଟର ଉତ୍ତର-ପୂର୍ବରେ ହଦଗାଁ ତାଲୁକାର ସାୱରଗାଁ ଗ୍ରାମରେ ଥିଲା । ତେବେ ଏହି ଝଟକାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ଅଧିକାରୀ କିଶୋର କୁରହେ କହିଛନ୍ତି ।
ଏହାପୂର୍ବରୁ ଗତ ଜୁଲାଇରେ ମଧ୍ୟ ମହାରାଷ୍ଟ୍ରର ହିଙ୍ଗୋଲିରେ ଏକ ଭୂମିକମ୍ପ ଆସିଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୪.୫ । ନାନ୍ଦେଡ଼ ଭାରତର ଭୂକମ୍ପୀୟ ମାନଚିତ୍ରରେ ଜୋନ୍ ୨ରେ ରହିଛି । ଏଠାରେ ଭୂମିକମ୍ପର ଆଶଙ୍କା ସବୁଠାରୁ କମ୍ ଥାଏ । ମହାରାଷ୍ଟ୍ରର ମରାଠୱାଡ଼ା ଡିଭିଜନ ଅନ୍ତର୍ଗତ ଗୋଦାବରୀ ନଦୀର ଉତ୍ତର ତଟରେ ଏହି ସହର ଅବସ୍ଥିତ ।
ଆପଣଙ୍କ ଅଞ୍ଚଳରେ ଭୂମିକମ୍ପ ଆସିଲେ କ’ଣ କରିବେ ଏବଂ କ’ଣ କରିବେ ନାହିଁ ?
୧. ଯଦି ଆପଣ କୋଠା ଘର ଭିତରେ ଅଛନ୍ତି, ତେବେ ଚଟାଣରେ ବସି ଯାଆନ୍ତୁ କିମ୍ବା କୌଣସି ଶକ୍ତିଶାଳୀ ଆସବାବପତ୍ର ତଳକୁ ଚାଲି ଯାଆନ୍ତୁ । ଯଦି କୌଣସି ଟେବୁଲ୍ କିମ୍ବା ଆସବାବପତ୍ର ନାହିଁ, ତା’ ହେଲେ ନିଜ ମୁହଁ ଓ ମୁଣ୍ଡକୁ ହାତରେ ଢାଙ୍କି ନିଅନ୍ତୁ ଏବଂ ରୁମ୍ର ଏକ କୋଣରେ ଯାଇ ବସନ୍ତୁ ।
୨. ଯଦି ଆପଣ ବିଲ୍ଡିଂ ବାହାରେ ଅଛନ୍ତି, ତେବେ ବିଲ୍ଡିଂ, ଗଛ, ପୋଲ ଏବଂ ବୈଦ୍ୟୁତିକ ତାରଠାରୁ ଦୂରରେ ରୁହନ୍ତୁ ।
୩. ଯଦି ଆପଣ କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି, ତା’ ହେଲେ ଗାଡ଼ିକୁ ଯଥାଶୀଘ୍ର ଅଟକାଇ ଦିଅନ୍ତୁ ଏବଂ ଭିତରେ ବସି ରୁହନ୍ତୁ ।
୪. ଯଦି ଆପଣ ଭଗ୍ନାବେଶଷ ତଳେ ପୋତି ହୋଇ ପଡ଼ିଛନ୍ତି, ତା’ ହେଲେ ହଲଚଲ ହୁଅନ୍ତୁ ନାହିଁ କି କୌଣସି ଜିନିଷକୁ ଧକ୍କା ଦିଅନ୍ତୁ ନାହିଁ ।