ନକଲି ଆଧାର କାର୍ଡ ଦେଖାଇ ସଂସଦରେ ପଶୁଥିଲେ ୩ ଶ୍ରମିକ, କାବୁ କରିନେଲେ ସୁରକ୍ଷା କର୍ମୀ

ନକଲି ଆଧାର କାର୍ଡ ଦେଖାଇ ସଂସଦ ଭବନରେ ପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ବିଫଳ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ଏହି ଘଟଣାରେ କେନ୍ଦ୍ରୀୟ ଔଦ୍ଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସ୍ଏଫ୍)ର ଯବାନମାନେ ତିନି ଜଣ ଶ୍ରମିକଙ୍କୁ ଧରିଛନ୍ତି । ଏହି ଶ୍ରମିକମାନେ ନକଲି ଆଧାର କାର୍ଡ ବ୍ୟବହାର କରି ସଂସଦ ପରିସରରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ।

ସୂଚନା ଅନୁସାରେ, ଦିଲ୍ଲୀ ପୋଲିସ କାସିମ, ମୋନିସ ଓ ସୋଏବ ନାମକ ତିନି ଜଣ ଶ୍ରମିକଙ୍କୁ ଗିରଫ କରିଛି । ପୋଲିସ ଆଇପିସି ଧାରା ୪୧୯, ୪୬୫, ୪୬୮ ଏବଂ ୧୨୦ବି ଅନୁଯାୟୀ ଏଫ୍‌ଆଇଆର୍‌ ପଞ୍ଜିକୃତ କରିଛି । ଏଫ୍‌ଆଇଆର ମୁତାବକ, ଜୁନ୍ ୪ ତାରିଖ ଦ୍ୱିପ୍ରହର ୧ଟା ୩୦ ମିନିଟ୍‌ରେ ତିନିଜଣ ଶ୍ରମିକ ନକଲି ଆଧାର କାର୍ଡ ମାଧ୍ୟମରେ ୩ ନମ୍ବର ଗେଟ୍‌ରୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।

କିନ୍ତୁ ପ୍ରବେଶ ଦ୍ୱାରରେ ସୁରକ୍ଷା ଏବଂ ପରିଚୟ ପତ୍ର ଯାଞ୍ଚ ବେଳେ ଯବାନମାନେ ଏହି ତିନି ଜଣଙ୍କୁ କାବୁ କରିନେଇଥିଲେ । ଏହି ତିନି ଜଣ ଆଧାର କାର୍ଡ ଦେଖାଇ ସଂସଦ ଭବନ ପରିସରରେ ପଶିବାକୁ ଚେଷ୍ଟା କରୁଥିଲେ । ସିଆଇଏସ୍‌ଏଫ୍‌ ଯବାନମାନଙ୍କୁ କାର୍ଡ ଉପରେ ସନ୍ଦେହ ହେବାରୁ ଏହାକୁ ଯାଞ୍ଚ କରାଯାଇଥିଲା ଏବଂ ପରେ ଏହା ନକଲି ବୋଲି ଜଣାପଡ଼ିଥିଲା ।

ଅଧିକାରୀମାନେ କହିଛନ୍ତି ଯେ ତିନି ଜଣ ଶ୍ରମିକଙ୍କୁ ‘ଡିଭି ପ୍ରୋଜେକ୍ଟ ଲିମିଟେଡ୍’ ସଂସଦ ଭବନ ପରିସରରେ ଏମ୍‌ପି ଲାଉଞ୍ଜ ନିର୍ମାଣ ପାଇଁ କାମରେ ରଖିଥିଲା ।

କହି ରଖୁଛୁ ଯେ ଗତ ବର୍ଷ ଡିସେମ୍ବର ୧୩ରେ ଦୁଇଜଣ ଯୁବକ ସଂସଦର ଦର୍ଶକ ଗ୍ୟାଲେରୀରୁ ଡେସ୍କକୁ ଡେଇଁପଡିଥିଲେ । ସେମାନେ ରଙ୍ଗିନ୍‌ ଧୂଆଁ ମଧ୍ୟ ଛାଡିଥିଲେ । ଏହି ସମୟ ମଧ୍ୟରେ ପୂରା ହଲ୍ ଧୂଆଁମୟ ହୋଇଯାଇଥିଲା । ସେବେଠାରୁ ସଂସଦର ସୁରକ୍ଷା ବୃଦ୍ଧି କରାଯାଇଛି । ଯଦିଓ ଏହି ଲୋକମାନଙ୍କୁ ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀମାନେ କାବୁ କରିନେଇଥିଲେ । ପରେ ସେମାନଙ୍କ ସହ ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

You might also like