୯୭ ସାଂସଦଙ୍କ ଅନୁପସ୍ଥିତିରେ ଲୋକସଭାରେ ପାସ୍ ହେଲା ୩ ଅପରାଧିକ ବିଲ୍
ଲୋକସଭାରେ ପାସ୍ ହୋଇଛି ଅପରାଧିକ ଆଇନ ସହ ଜଡ଼ିତ ୩ଟି ବିଲ୍। ଅପରାଧିକ ସଂଶୋଧନ ବିଲ୍ ଉପରେ ଆଲୋଚନା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ବିବୃତ୍ତି ସମୟରେ ଗୃହରେ ମୋଟ ୯୭ ଜଣ ବିରୋଧୀ ସାଂସଦ ଅନୁପସ୍ଥିତ ଥିଲେ।
ଲୋକସଭାରେ ପାସ୍ ହୋଇଛି ଅପରାଧିକ ଆଇନ ସହ ଜଡ଼ିତ ୩ଟି ବିଲ୍। ଅପରାଧିକ ସଂଶୋଧନ ବିଲ୍ ଉପରେ ଆଲୋଚନା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ବିବୃତ୍ତି ସମୟରେ ଗୃହରେ ମୋଟ ୯୭ ଜଣ ବିରୋଧୀ ସାଂସଦ ଅନୁପସ୍ଥିତ ଥିଲେ। ଗୃହରୁ ସେମାନଙ୍କୁ ସସ୍ପେଣ୍ଡ କରାଯାଇଛି। ବର୍ତ୍ତମାନ ନୂଆ ଅପରାଧିକ ବିଲ୍ଗୁଡ଼ିକୁ ରାଜ୍ୟସଭାରେ ଆଗତ କରାଯିବ। ସେଠାରୁ ପାସ୍ ହେବା ପରେ ଅନୁମୋଦନ ପାଇଁ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ।
ଲୋକସଭାରେ ପାସ୍ ହୋଇଥିବା ୩ ଅପରାଧିକ ବିଲ୍ ଉପରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ଇଂରେଜଙ୍କ ଅମଳର ରାଜଦ୍ରୋହ ଆଇନକୁ ଶେଷ କରାଯାଇଛି। ନାବାଳିକା ଦୁଷ୍କର୍ମ, ମବ୍ ଲିଚିଂ ବା ଭିଡ଼ ହିଂସା ଭଳି ଅପରାଧରେ ଫାଶୀ ଦଣ୍ଡ ଦିଆଯିବ। ଲୋକସଭାରେ ବିଲ୍ ପାସ୍ ହେବା ପରେ ଗୃହର ପ୍ରକ୍ରିୟାକୁ ଗୁରୁବାର ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ଭାରତୀୟ ନ୍ୟାୟ (ଦ୍ୱିତୀୟ) ସଂହିତା ବିଲ୍-୨୦୨୩, ଭାରତୀୟ ନାଗରିକ ସୁରକ୍ଷା (ଦ୍ୱିତୀୟ) ସଂହିତା ବିଲ୍-୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ବିଲ୍-୨୦୨୩ ଉପସ୍ଥାପନ କରି ଅମିତ୍ ଶାହ କହିଥିଲେ ଯେ ଏହି ବିଲ୍ଗୁଡ଼ିକୁ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି, ଆଇନ ଶୃଙ୍ଖଳାକୁ ସୁଦୃଢ଼ କରିବା।
ଏହି ବିଲ୍ ଅନୁଯାୟୀ ଏବେ ଗଣଦୁଷ୍କର୍ମ ମାମଲାରେ ୨୦ ବର୍ଷ କାରାଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡର ବ୍ୟବସ୍ଥା କରାଯିବ। ମିଥ୍ୟା ପ୍ରତିଶ୍ରୁତି କିମ୍ବା ପରିଚୟ ଲୁଚାଇ ଯୌନ ସମ୍ପର୍କ ରଖିବା ମଧ୍ୟ ଏବେ ଅପରାଧ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବ। ଏଥିରେ ୧୮ ବର୍ଷରୁ କମ୍ ବୟସର ଝିଅ ଅର୍ଥାତ୍ ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡର ବ୍ୟବସ୍ଥା ହୋଇଛି।
ଏହିପରି ଯୌନ ହିଂସା ମାମଲାରେ କେବଳ ମହିଳା ନ୍ୟାୟିକ ମାଜିଷ୍ଟ୍ରେଟ ପୀଡ଼ିତାଙ୍କ ବୟାନ ରେକର୍ଡ କରିବେ। ପୀଡ଼ିତାଙ୍କ ବାସଭବନରେ ହିଁ ଜଣେ ମହିଳା ପୋଲିସ ଅଧିକାରଙ୍କ ସାମ୍ନାରେ ରେକର୍ଡ କରାଯିବ। ବୟାନ ରେକର୍ଡ ସମୟରେ ପୀଡିତାଙ୍କ ମା’, ବାପା କିମ୍ବା ଅଭିଭାବକ ଉପସ୍ଥିତ ରହିପାରିବେ।
ସରକାର ଦେଶଦ୍ରୋହ ଭଳି ଆଇନକୁ ମଧ୍ୟ ରଦ୍ଦ କରିଛନ୍ତି। ଏହା ବ୍ୟତୀତ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ବିଲ୍ରେ ବ୍ୟବସ୍ଥା କରାଯାଇଛି। ଏଥିସହିତ ଆଜୀବନ କାରାଦଣ୍ଡକୁ ୭ ବର୍ଷ କାରାଦଣ୍ଡରେ ପରିଣତ କରାଯାଇପାରିବ। ସେହିପରି ଭିଡ଼ ହିଂସା ଘଟଣାକୁ ନେଇ ଆଜୀବନ କାରାଦଣ୍ଡରୁ ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ବ୍ୟବସ୍ଥା ହୋଇଛି।