ବିରାଟ ପଥର ସହ ଧକ୍କା ହେଲା ମତ୍ସ୍ୟଜୀବୀ ଡଙ୍ଗା, ୩ ମୃତ, ୧୯ ଉଦ୍ଧାର

ଦକ୍ଷିଣ କୋରିଆର ଦକ୍ଷିଣ-ପଶ୍ଚିମ ଉପକୂଳରେ ଏକ ମତ୍ସ୍ୟଜୀବୀ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । ଶନିବାର ଏହି ଡଙ୍ଗା ୨୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏକ ପଥର ଚଟାଣ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣଙ୍କୁ ଉଦ୍ଧାର କରାଯାଇଛି ।

ରିପୋର୍ଟ ଅନୁସାରେ, ସକାଳ ୧୦ଟା ୩୦ରେ ଏହି ଦୁର୍ଘଟଣା ଘଟିଥିଲା । ଦକ୍ଷିଣ ଜିୟୋଲା ପ୍ରାନ୍ତର ସିନାନରେ ଗେଜିୟୋ ଦ୍ୱୀପ ନିକଟରେ ଡଙ୍ଗାଟି ଏକ ବିରାଟ ପଥର ସହ ଧକ୍କା ହୋଇଥିଲା । ଡଙ୍ଗାରେ ୩ ଜଣ ଯାତ୍ରୀଙ୍କୁ ହୃଦଘାତ ସ୍ଥିତିରେ ଉଦ୍ଧାର କରାଯାଇଥିଲା । ପରେ ସେମାନଙ୍କୁ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଅନ୍ୟ ୧୯ ଜଣଙ୍କୁ ତଟରକ୍ଷୀ ବାହିନୀ ଏବଂ ନିକଟରେ ବୁଲୁଥିବା ଏକ ଜାହାଜ ଦ୍ୱାରା ଉଦ୍ଧାର କରାଯାଇଥିଲା । ସେମାନଙ୍କ ଜୀବନ ପ୍ରତି କୌଣସି ବିପଦ ନ ଥିଲା । କୁହାଯାଉଛି, ଯେତେବେଳେ ଡଙ୍ଗାଟି ଓଲଟିବା ସ୍ଥିତିକୁ ଆସିଥିଲା, ସେହି ସମୟରେ ଯାତ୍ରୀମାନେ ଜୀବନ ବିକଳରେ ସମୁଦ୍ରକୁ ଡେଇଁ ପଡ଼ିଥିଲେ ।

ତଟରକ୍ଷୀ ବାହିନୀ ପ୍ରଥମେ ଡଙ୍ଗାରେ ୨୧ ଜଣ ଥିବା କହିଥିଲେ, କିନ୍ତୁ ପରେ ଜଣାପଡ଼ିଥିଲା କି, ୨୨ ଜଣ ଯାତ୍ରୀ ଡଙ୍ଗାରେ ଯାଉଥିଲେ । ଅଧିକାରୀମାନେ ଦୁର୍ଘଟଣା ନେଇ ଅଧିକ ଯାଞ୍ଚ କରୁଛନ୍ତି ।

ଗତ ସୋମବାର ମଧ୍ୟ ଏହିପରି ଏକ ଦୁର୍ଘଟଣା ଘଟିଥିଲା । ଦକ୍ଷିଣ କୋରିଆର ପଶ୍ଚିମ ଉପକୂଳରେ ମାଲ୍ ଓ କାର୍ ନେଇ ଯାଉଥିବା ଏକ ଜାହାଜ ଓଲଟି ପଡ଼ିଥିଲା । ଏଥିରେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୫ ଜଣ ନିଖୋଜ ହୋଇଯାଇଥିଲେ ।

ସ୍ଥାନୀୟ ସମୟ ଅନୁସାରେ, ସନ୍ଧ୍ୟା ୬ଟା ୨୬ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା । ୮୩ ଟନର ଜାହାଜରେ ୭ ଜଣ ଲୋକ ଥିଲେ । ରାଜଧାନୀ ସିୟୋଲରୁ ପ୍ରାୟ ୧୦୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ସିଓସନ ଉପକୂଳରେ ଏହା ଓଲଟି ପଡ଼ିଥିଲା ।