ୟୁପି: ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଅଟୋକୁ ପିଟି ଦେଲା ବସ୍‌; ୩ ମୃତ, ୬ରୁ ଅଧିକ ଆହତ

ଉତ୍ତର ପ୍ରଦେଶର ମିର୍ଜାପୁରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଅଟୋ ସହିତ ବସ୍‌ର ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା ।

ଏହି ଘଟଣା ମିର୍ଜାପୁର-ପ୍ରୟାଗରାଜ ରାସ୍ତାର ଗୌପୁରା ନିକଟରେ ଘଟିଛି । ମୃତଦେହଗୁଡ଼ିକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନା ଅନୁସାରେ, ବିନ୍ଧ୍ୟାଚଳ ଥାନା ଅଧୀନ ମିର୍ଜାପୁର-ପ୍ରୟାଗରାଜ ରାସ୍ତା ଦେଇ ଅଟୋଟି ଯାଉଥିଲା । ଏଥିରେ ୧୨ରୁ ଅଧିକ ଶ୍ରଦ୍ଧାଳୁ ପ୍ରୟାଗରାଜରୁ ବିନ୍ଧ୍ୟାଚଳ ଦର୍ଶନ ପାଇଁ ଯାଉଥିଲେ । ଏହି ସମୟରେ ମିର୍ଜାପୁରରୁ ପ୍ରୟାଗରାଜ ଅଭିମୁଖେ ଯାଉଥିବା ଏକ ବସ୍ ଗୌପୁରା ନିକଟରେ ଅଟୋଟିକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର୍‌ଦାର ଥିଲା ଯେ ଅଟୋଟି ଭାଙ୍ଗି ଚୁର୍‌ମାର ହୋଇଯାଇଥିଲା ।

ଚିତ୍କାର ଶୁଣି ଆଖପାଖର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ । ଖବର ପାଇ ପୋଲିସ ପହଞ୍ଚି ଲୋକଙ୍କ ସହାୟତାରେ ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲା । ଏହାସହ ମୃତକ ଏବଂ ଆହତମାନଙ୍କ ପରିବାର ଲୋକଙ୍କୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲା ।