ହରିୟାଣା: ଟ୍ରକ୍ ଧକ୍କାରେ କାର୍ରେ ଲାଗିଲା ଭୀଷଣ ନିଆଁ, ଜୀବନ୍ତ ଜଳିଗଲେ ୩ ପରୀକ୍ଷାର୍ଥୀ

ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାର ପିହୋଭା ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରକ୍ ଧକ୍କାରେ କାର୍ରେ ଭୀଷଣ ନିଆଁ ଲାଗି ୩ ଜଣ ପରୀକ୍ଷାର୍ଥୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ସୋମବାର ରାତିର ବୋଲି ପୋଲିସ ସୂଚନା ଦେଇଛି । ମୃତକମାନଙ୍କ ବୟସ ୨୦ରୁ ୨୨ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି ।
ପିହୋଭା ଥାନା ଅଧିକାରୀ ସତୀଶ କୁମାର କହିଛନ୍ତି ଯେ ୪ ଜଣ ସାଙ୍ଗ ପରୀକ୍ଷା ଦେବା ପାଇଁ କାର୍ରେ ଚଣ୍ଡୀଗଡ଼ ଯାଉଥିଲେ । ଏହି ସମୟରେ ପିହୋଭା-କୁରୁକ୍ଷେତ୍ର ରାସ୍ତାରେ ସେମାନଙ୍କ କାର୍କୁ ଏକ ଟ୍ରକ୍ ପଛପଟୁ ଆସି ଜୋର୍ରେ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତତ୍କ୍ଷଣାତ କାର୍ରେ ନିଆଁ ଲାଗିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣ ସାଙ୍ଗ ଜୀବନ୍ତ ଜଳି ପ୍ରାଣ ହରାଇଥିଲେ ।
ଖବର ପାଇ ପୋଲିସ ପହଞ୍ଚି ଅନ୍ୟ ଜଣେ ଯୁବକଙ୍କୁ ଗାଡ଼ି ଭିତରୁ ବାହାର କରିଥିଲା । ତାଙ୍କ ନାମ ଆଶିଷ ବୋଲି ଜଣାପଡ଼ିଛି । ମୃତକମାନେ ରାଜସ୍ଥାନର ପିଲାନୀ ଏବଂ ହରିୟାଣା ରୋହତକର ବାସିନ୍ଦା ଥିଲେ । କୁରୁକ୍ଷେତ୍ରର ଏକ ଘରୋଇ ହସ୍ପିଟାଲରେ ଆଶିଷଙ୍କ ଚିକିତ୍ସା ଚାଲିଛି । ମାମଲାର ତଦନ୍ତ କରାଯାଉଛି । ସମସ୍ତ ମୃତକ ଏବଂ ଆହତଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା ଚାଲିଛି ବୋଲି ପୋଲିସ କହିଛି ।