ଗୁଜରାଟ: ପ୍ରବଳ ବର୍ଷା ଯୋଗୁ ଭୁଶୁଡ଼ିଲା ୩ ମହଲା ବିଲ୍ଡିଂ, ଜେଜେମା’ ଓ ୨ ନାତୁଣୀ ମୃତ

ଗୁଜରାଟରେ ତାଣ୍ଡବ ରଚିଛି ଲଗାଣ ବର୍ଷା । ପ୍ରବଳ ବର୍ଷା ଯୋଗୁ ରାଜ୍ୟର ଦେବଭୂମି ଦ୍ୱାରକା ଜିଲ୍ଲାର ଜାମ୍‌ ଖମ୍ବାଲିଆ ସହରରେ ଏକ ୩ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ଏଥିରେ ଜଣେ ବୃଦ୍ଧ ମହିଳାଙ୍କ ସହ ତାଙ୍କର ୨ ଜଣ ନାତୁଣୀଙ୍କ ମୃତ୍ୟୁ ହୋଇଛି । ବିଲ୍ଡିଂଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା ।

ମଙ୍ଗଳବାର ସନ୍ଧ୍ୟାରେ ସହରର ଗଗଓ୍ଵାନୀ ଫଲି ଅଞ୍ଚଳରେ ଏହି ଘଟଣା ଘଟିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ପାଖାପାଖି ୬ ଘଣ୍ଟା ଧରି ଚାଲିଥିବା ରେସ୍‌କ୍ୟୁ ଅପରେସନରେ ୩ ଜଣଙ୍କ ମୃତଦେହକୁ ବାହାର କରାଯାଇଥିଲା । ସ୍ଥାନୀୟ ଲୋକେ ଅନ୍ୟ ୫ ଜଣ ଲୋକଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରିଥିଲେ ।

ଏହି ଅଭିଯାନରେ ଏନ୍‌ଡିଆର୍‌ଏଫ୍‌, ପୋଲିସ ଏବଂ ଅଗ୍ନିଶମ ଟିମ୍‌ ସାମିଲ ହୋଇଥିଲା । ପ୍ରବଳ ବର୍ଷା ଯୋଗୁ ବିଲ୍ଡିଂ ଭୁଶୁଡ଼ିବା ପରେ ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ଭିତରୁ ମୃତଦେହଗୁଡ଼ିକୁ ବାହାର କରିଥିଲେ । ଏଠାରେ ଫସି ରହିିଥିବା ଅନ୍ୟ ୫ ଜଣଙ୍କୁ ମଧ୍ୟ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ପୋଲିସ କହିଛି । ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲ ପଠାଯାଇଛି ।

କହି ରଖୁଛୁ ଯେ ଗତ ୨ ଦିନ ଧରି ଗୁଜରାଟରେ ମୂଷଳଧାରାରେ ବର୍ଷା ଲାଗି ରହିଛି । କଚ୍ଛରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅଓ୍ଵଡ଼ାସାସ୍ଥିତ ସଙ୍ଘାନା ନଦୀରେ ବନ୍ୟା ପାଣି ମାଡ଼ି ଆସିଛି । ପ୍ରାୟ ୧୫ଟି ଗାଈ ବନ୍ୟା ଜଳରେ ଭାସିଯାଇଛନ୍ତି ।