ତାମିଲନାଡ଼ୁରେ ଦୂଷିତ ପାଣି ପିଇ ୩ ମୃତ, ୨୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

ତାମିଲନାଡ଼ୁର ଚେନ୍ନାଇ ନିକଟ ପଲ୍ଲାଭରମରେ ଦୂଷିତ ପାଣି ପିଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରେ ୮୮ ବର୍ଷୀୟା ଜଣେ ମହିଳା ଅଛନ୍ତି । ଏହି ପାଣି ପିଇ ୨୦ରୁ ଅଧିକ ଅସୁସ୍ଥ ମଧ୍ୟ ହୋଇପଡ଼ିଛନ୍ତି । ଅସୁସ୍ଥ ବ୍ୟକ୍ତିମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣି କହିଛନ୍ତି ଯେ ନିକଟରେ ହୋଇଥିବା ବର୍ଷା ଯୋଗୁ ସ୍ୱେରେଜ ପାଣି ପାନୀୟ ଜଳରେ ମିଶିଥିଲା ।

ଲୋକଙ୍କ କହିବା ହେଲା, ଦୂଷିତ ପାଣି ପିଇବା କାରଣରୁ ବାନ୍ତି, ମୁଣ୍ଡବିନ୍ଧା ସହ ଅନ୍ୟାନ୍ୟ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି ।

ତାମିଲନାଡ଼ୁ ସ୍ୱାସ୍ଥ୍ୟମନ୍ତ୍ରୀ ମା ସୁବ୍ରମଣ୍ୟମ୍ ଏକ ସରକାରୀ ହସ୍ପିଟାଲରେ ଅସୁସ୍ଥ ବ୍ୟକ୍ତିମାନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ଗିଣ୍ଡିରେ କିଙ୍ଗ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ରିଭେଣ୍ଟିଭ୍ ମେଡିସିନ ଆଣ୍ଡ ରିସର୍ଚ୍ଚରେ ପରୀକ୍ଷଣ ପାଇଁ ପାଣି ନମୁନା ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

ତାମିଲନାଡ଼ୁ ମନ୍ତ୍ରୀ ଟିଏମ୍ ଅନବରସନ ମଧ୍ୟ ପ୍ରଭାବିତ ଅଞ୍ଚଳ ନିରୀକ୍ଷଣ କରିଥିଲେ ଏବଂ ତୁରନ୍ତ ଏକ ଚିକିତ୍ସା ଶିବିର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ପିଇବା ପାଣି ଦୂଷିତ ଥିଲା କି ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖିଆ ଯାଇଥିବା ଖାଦ୍ୟ ଯୋଗୁ ବି ଏଭଳି ସମସ୍ୟା ଦେଖା ଦେଇଥାଇପାରେ । ସେ ଦିଗରେ ମଧ୍ୟ ଯାଞ୍ଚ କରାଯାଉଛି । ଯଦି ପାଣି ଦୂଷିତ ହୋଇ ଥାଆନ୍ତା, ତେବେ ପୂରା ଅଞ୍ଚଳ ପ୍ରଭାବିତ ହୋଇ ଥାଆନ୍ତା ।

ଏହି ଘଟଣା ପରେ ଅଧିକାରୀମାନେ ସମ୍ଭାବ୍ୟ ଜଳ ପ୍ରଦୂଷଣ ଏବଂ ଅଧିକ ମୃତାହତକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ।