Reel କରିବା ନିଶାରେ ନଦୀରେ ବୁଡ଼ିଗଲେ ୩ ସାଙ୍ଗ, ୨ ଜଣଙ୍କ ମୃତଦେହ ଉଦ୍ଧାର; ଏବେ ବି ଜଣେ ନିଖୋଜ
ବିହାରର ସମସ୍ତିପୁରରେ ଘଟିଛି ଏକ ଦୁଃଖଦାୟକ ଦୁର୍ଘଟଣା । ଏଠାରେ ରିଲ୍ କଲା ବେଳେ ୩ ଜଣ ସାଙ୍ଗ ନଦୀରେ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି । ସୂଚନା ମୁତାବକ, ରିଲ୍ କରିବା ସମୟରେ ୩ ଜଣ ସାଙ୍ଗ ବୁଢ଼ୀ ଗଣ୍ଡକ ନଦୀରେ ବୁଡ଼ି ଯାଇଥିଲେ । ଏସ୍ଡିଆର୍ଏଫ୍ ଟିମ୍ ପହଞ୍ଚି ୨ଟି ମୃତଦେହକୁ ନଦୀରୁ ଉଦ୍ଧାର କରିଛି ।
ମୃତଦେହ ଦ୍ୱୟର ବ୍ୟବଚ୍ଛେଦ ପରେ ପୋଲିସ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସେପଟେ ଘଟଣାସ୍ଥଳରେ ସ୍ଥାନୀୟ ବୁଡ଼ାଳୀମାନଙ୍କ ସହାୟତାରେ ତୃତୀୟ ସାଙ୍ଗକୁ ଖୋଜା ଚାଲିଛି ।
ପୋଲିସ ମୁତାବକ, ନଗର ଥାନା ଅଧୀନ ଧରମପୁର ନ୍ୟୁ କଲୋନୀର ୪ ଜଣ ସାଙ୍ଗ ରବିବାର ଅପରାହ୍ନରେ ଗାଧୋଇବା ପାଇଁ ବୁଢ଼ୀ ଗଣ୍ଡକ ନଦୀକୁ ଯାଇଥିଲେ । ଏହି ସମୟରେ ୩ ଜଣ ନଦୀରେ ଗାଧୋଉଥିବା ବେଳେ ଅନ୍ୟ ଜଣେ ସାଙ୍ଗ ମୋବାଇଲ ଫୋନ୍ରେ ରିଲ୍ କରୁଥିଲେ । କିନ୍ତୁ ରିଲ୍ ନିଶାରେ ୩ ଜଣ ସାଙ୍ଗ ଧୀରେ ଧୀରେ କେତେବେଳେ ଯେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ, ତାହା ସେମାନେ ଜାଣିପାରି ନ ଥିଲେ ।
ମାତ୍ର କିଛି ସେକେଣ୍ଡ ଭିତରେ ୩ ଜଣ ନଦୀରେ ବୁଡ଼ିଯାଇଥିଲେ । ଏହା ଦେଖି ରିଲ୍ କରୁଥିବା ଚତୁର୍ଥ ସାଙ୍ଗ ଜଣକ ଚିତ୍କାର କରି ଗାଁ ଆଡ଼କୁ ଧାଇଁଥିଲେ । ତାଙ୍କ ମୁହଁରୁ ଖବର ଶୁଣି ଗ୍ରାମବାସୀ ସେଠାରେ ରୁଣ୍ଡ ହୋଇଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ଏ ନେଇ ପୋଲିସ, ଏସ୍ଡିଓ ଏବଂ ଏସ୍ଡିଆର୍ଏଫ୍ ଟିମ୍କୁ ଖବର ଦେଇଥିଲେ ।
ରବିବାର ରାତି ପ୍ରାୟ ୮ଟାରେ ଏସ୍ଡିଆର୍ଏଫ୍ ଟିମ୍ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା । ପରଦିନ ସକାଳେ ଆଉ ଜଣଙ୍କ ମୃତଦେହ ମିଳିଥିଲା । ଦୁଇ ମୃତକଙ୍କ ପରିଚୟ ମିଳିଛି, ସେମାନଙ୍କ ନାମ ଲକି ଓ ଫୈଜାନ ବୋଲି ଜଣାପଡ଼ିଛି । ବର୍ତ୍ତମାନ ତୃତୀୟ ସାଙ୍ଗ ସମୀରଙ୍କୁ ଖୋଜା ଚାଲିଛି ।