ଦକ୍ଷିଣ କାଶ୍ମୀରରେ ଜଳିଗଲା ୩ ପଣ୍ଡିତଙ୍କ ଘର, ପଳାୟନ ପରେ ଦୀର୍ଘ ଦିନରୁ ବନ୍ଦ ପଡ଼ିଥିଲା

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ମଟାନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ କାଶ୍ମୀର ପଣ୍ଡିତଙ୍କ ୩ଟି ଆବାସିକ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି । ଏହି ଘଟଣା ଜୁଲାଇ ୨୮ ତାରିଖ ବିଳମ୍ବିତ ରାତିରେ ଘଟିଥିଲା । ମିଳିଥିବା ସୂଚନା ମୁତାବକ, ଏହି ସମ୍ପତ୍ତି ସେହି ପଣ୍ଡିତ ପରିବାରର ଥିଲା, ଯେଉଁମାନେ ୯୦ ଦଶକ ପ୍ରାରମ୍ଭରେ ପଳାୟନ କରିଥିଲେ ଏବଂ ଏଥିପାଇଁ ଘରଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା ।
ପୋଲିସ କହିଛି, ଘଟଣାର ତଦନ୍ତ ଚାଲିଛି । ଅଞ୍ଚଳରେ ବଙ୍କର ସହିତ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ସମ୍ଭାବ୍ୟ ଦିଗ ଉପରେ ନଜର ରଖାଯାଇଛି ।
ଜୁନ୍ ୨୪ରେ ମଧ୍ୟ ଜମ୍ମୁ-କାଶ୍ମୀରର ଶ୍ରୀନଗର ଅଞ୍ଚଳରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା । ବୋହୋରୀ କଦଲ ଡାଉନ୍ ଟାଉନ୍ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ବହୁ ଆବାସିକ ଘର ଏବଂ ବ୍ୟବସାୟିକ ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଥିଲା ।