ଅଷ୍ଟ୍ରେଲିଆରେ କ୍ରାସ୍ ହେଲା ସାମୁଦ୍ରିକ ବିମାନ, ୩ ଗୁରୁତର, ୩ ନିଖୋଜ
ଅଷ୍ଟ୍ରେଲିଆରେ କ୍ରାସ୍ ହେଲା ସାମୁଦ୍ରିକ ବିମାନ । ଅଷ୍ଟ୍ରେଲିଆର ଏକ ପର୍ଯ୍ୟଟନ ଦ୍ୱୀପ ନିକଟରେ ଏକ ସାମୁଦ୍ରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ତିନି ଜଣ ନିଖୋଜ ଅଛନ୍ତି । ମଙ୍ଗଳବାର ଅପରାହ୍ନରେ ରୋଟନେଷ୍ଟ ଦ୍ୱୀପରୁ ଟେକ୍ ଅଫ୍ ସମୟରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି । ଦୁର୍ଘଟଣା ପରେ ସେସନା ୨୦୮ କାରଭାନରେ ଥିବା ୭ ଜଣଙ୍କ ମଧ୍ୟରୁ କେବଳ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ତାଙ୍କୁ କୌଣସି ଆଘାତ ଲାଗିନାହିଁ ।
କୁହାଯାଉଛି ଯେ ଶ୍ଵାନ୍ ନଦୀ ସିପ୍ଲେନର ମାଲିକାନାରେ ଥିବା ଏହି ବିମାନ ରୋଟନେଷ୍ଟ ଦ୍ୱୀପରୁ ୩୦ କିଲୋମିଟର ପୂର୍ବରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ପର୍ଥରେ ଥିବା ନିଜ ବେସକୁ ଫେରୁଥିବା ବେଳେ ଏହା କ୍ରାସ୍ ହୋଇଥିଲା ।
ଅଷ୍ଟ୍ରେଲିଆ ପରିବହନ ସୁରକ୍ଷା ବ୍ୟୁରୋ ଏବଂ ବିମାନ ଦୁର୍ଘଟଣା ତଦନ୍ତକାରୀ ଅଧିକାରୀ କହିଛନ୍ତି, ଘଟଣାସ୍ଥଳକୁ ବିଶେଷଜ୍ଞଙ୍କୁ ପଠାଯାଇଛି । ବ୍ୟୁରୋର ମୁଖ୍ୟ କମିଶନର ଏଙ୍ଗସ୍ ମିଶେଲ କହିଛନ୍ତି ଯେ ଟେକ୍ ଅଫ୍ ବେଳେ ସିପ୍ଲେନ୍ ପାଣି ଉପରେ ପଡ଼ିଯାଇଥିଲା ।
ଜଣେ ପର୍ଯ୍ୟଟକ ଗ୍ରେଗ କ୍ୱିନ୍ ଏହି ଦୁର୍ଘଟଣା ଦେଖିଥିବା କହିଛନ୍ତି । ସେ କହିଛନ୍ତି ଯେ ଆମେ ସିପ୍ଲେନକୁ ଉଡ଼ାଣ ଭରୁଥିବାର ଦେଖୁଥିଲୁ । ଏହା ଜଳ ଉପରେ ଅବତରଣ କରିବାକୁ ଯାଉଥିଲା ବେଳେ ହଠାତ୍ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅନେକ ଲୋକ ସେମାନଙ୍କ ଡଙ୍ଗାରେ ପାଣିକୁ ଯାଇଥିଲେ ଏବଂ ବହୁତ ଜଲଦି ସେଠାରେ ପହଞ୍ଚିଯାଇଥିଲେ ।
ଅଧିକାରୀଙ୍କ ସୂଚନା ମୁତାବକ, ଆହତ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ପର୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ ଏହି ଦୁର୍ଘଟଣାକୁ ଭୟଙ୍କର ଖବର ବୋଲି କହିଛନ୍ତି । ସେ କହିଛନ୍ତି, ‘ଏହି ଦୁର୍ଘଟଣାରେ ଆହତ ଓ ନିଖୋଜ ସମସ୍ତଙ୍କ ପ୍ରତି ମୋର ସମବେଦନା ରହିଛି’ ।