ନାବାଳକଙ୍କୁ ଚପଲରେ ପିଟିଲେ, ଧାର୍ମିକ ସ୍ଲୋଗାନ ଦେବାକୁ କଲେ ବାଧ୍ୟ
ଭୋପାଳ: ମଧ୍ୟପ୍ରଦେଶରେ ତିନିଜଣ ପିଲାଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରି ଧାର୍ମିକ ସ୍ଲୋଗାନ ଦେବାକୁ ୨ ଜଣ ବ୍ୟକ୍ତି ବାଧ୍ୟ କରିଥିବା ଏକ ଭିଡିଓ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ମାନକ ଚୌକ ଥାନା ଅନ୍ତର୍ଗତ ରତଲାମ ଜିଲ୍ଲା ସଦରରେ ଏଭଳି ଘଟଣା ଘଟିଛି । ଏହା ପରେ ଅଞ୍ଚଳର ଶତାଧିକ ଲୋକ ଉତ୍ତ୍ୟକ୍ତ ହୋଇ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଘଟଣା ମୁତାବକ, ଭିଡିଓଟି ରତଲାମ ନିକଟ ଅମୃତସାଗର ହ୍ରଦ ନିକଟରେ ଥିବା ନିର୍ମାଣାଧୀନ ଉଦ୍ୟାନରେ ଉତ୍ତୋଳନ କରାଯାଇଛି । ପୋଲିସ କହିବା ଅନୁଯାୟୀ, ଏହି ଘଟଣାଟି ଗତ ମାସରେ ଘଟିଥିଲା । କିନ୍ତୁ ଏବେ ସୋସିଆଲ ମିଡିଆରେ ଭିଡିଓ କ୍ଲିପ ଆସିବା ପରେ ଘଟଣା ସାମ୍ନାକୁ ଆସିଛି । ଭିଡିଓରେ ଜଣେ ବ୍ୟକ୍ତି ୩ ଜଣ ଶିଶୁଙ୍କୁ ଚପଲରେ ମାଡ଼ ମାରୁଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ମୋବାଇଲ ଫୋନରେ ଏହି ଭିଡିଓ ରେକର୍ଡ କରିଛନ୍ତି ।
ପୋଲିସ କହିବାନୁସାରେ, ଏହି ତିନି ପୀଡ଼ିତାଙ୍କ ବୟସ ୧୩, ୧୧ ଏବଂ ୬ ହୋଇଥିବା ବେଳେ ସେମାନେ ଧୂମପାନ ବିଷୟରେ ଉପଦେଶ ଦେଇଥିବାର ଜଣାପଡ଼ିଛି । ଭିଡିଓରେ ଉକ୍ତ ବ୍ୟକ୍ତିଙ୍କୁ ଧୂମପାନ କରିବେ କି ବୋଲି ପଚାରିବାରୁ ସେ ପିଲାମାନଙ୍କୁ ଚାପୁଡ଼ା ମାରିଥିଲେ । ଏହା ସହିତ ପିଲାମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସେମାନଙ୍କ ଅଭିଭାବକଙ୍କ ଫୋନ ନମ୍ବର ମାଗି ସେମାନଙ୍କୁ ମଧ୍ୟ ଧମକାଇଥିଲେ ।
ତେବେ, ଗୁରୁବାର ଦିନ ତିନି ପୁଅଙ୍କ ସମ୍ପର୍କୀୟ ତଥା ଅନ୍ୟ ସମ୍ପ୍ରଦାୟର ସଦସ୍ୟମାନେ ପିଲାମାନଙ୍କ ସହ ମନକ ଚକ୍ ପୋଲିସ୍ ଷ୍ଟେସନରେ ପହଞ୍ଚି ଏକ ଏଫ୍ଆଇଆର୍ ଦାଖଲ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।
ସେପଟେ ଭିଡିଓଟି ପ୍ରଘଟ ହେବା ପରେ ସହରର ଶତାଧିକ ଲୋକ ଏକତ୍ର ହୋଇ ଥାନା ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ । ଭିଡ଼ ବଢ଼ିବାରୁ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରି ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।