ମହାରାଷ୍ଟ୍ର: ସାର କାରଖାନାରେ ବିଷାକ୍ତ ଗ୍ୟାସ୍ ନିର୍ଗତ, ୩ ମୃତ, ୯ ଗୁରୁତର

ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଏକ ସାର କାରଖାନାରେ ଗ୍ୟାସ୍ ଲିକ୍ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଠାରେ ଏକ ଫର୍ଟିଲାଇଜର ପ୍ଲାଣ୍ଟର ରିଆକ୍ଟରରେ ବିସ୍ଫୋରଣ ପରେ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇଥିଲା । କେହି କିଛି ବୁଝିବା ଆଗରୁ ଅନେକ ଲୋକ ଏହା ସଂସ୍ପର୍ଶରେ ଆସିଯାଇଥିଲେ । ଗ୍ୟାସ୍ ଲିକ୍ ହେତୁ ୨ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି ।

ପୋଲିସ ଟିମ୍ ଘଟଣାର ତଦନ୍ତ କରୁଛି । ଗୁରୁତର ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।

ଘଟଣା ସମ୍ପର୍କରେ ଜଣେ ପୋଲିସ ଅଧିକାରୀ କହିଛନ୍ତି, ଗୁରୁବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ସାଙ୍ଗଲିର କଡେଗାଓଁ ତହସିଲ ଅନ୍ତର୍ଗତ ଶାଲଗାଓଁ ଏମଆଇଡିସିସ୍ଥିତ ମିଆଁମାର କେମିକାଲ୍ କମ୍ପାନୀରେ ଗ୍ୟାସ୍ ଲିକ୍ ହୋଇଛି ।

ସାର କାରଖାନାର ରିଆକ୍ଟରରେ ବିସ୍ଫୋରଣ ହେବା କାରଣରୁ ରାସାୟନିକ ଧୂଆଁ ନିର୍ଗତ ହେବାକୁ ଲାଗିଥିଲା । କଡେଗାଓଁ ଥାନା ଇନ୍ସପେକ୍ଟର ସଂଗ୍ରାମ ଶେୱାଲେ କହିଛନ୍ତି ଯେ ଗ୍ୟାସ ଲିକ୍ ହେବା କାରଣରୁ ୧୨ ଜଣ ଲୋକ ପ୍ରଭାବିତ ହୋଇଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ମହିଳା କର୍ମଚାରୀ ଏବଂ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ୯ ଜଣଙ୍କର ଚିକିତ୍ସା ଚାଲିଛି ।

ସାଙ୍ଗଲି ପୋଲିସ ଅଧୀକ୍ଷକ ସନ୍ଦୀପ ଘୁଗେ କହିଛନ୍ତି, ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ରିଆକ୍ଟରରେ ବିସ୍ଫୋରଣ ପରେ ଅମୋନିଆ ଗ୍ୟାସ୍ ଲିକ୍ ହୋଇଥିବା ସନ୍ଦେହ କରାଯାଉଛି ।

You might also like