ହିମାଚଳରେ ପ୍ରବଳ ତୁଷାରପାତ, ୩ ଜାତୀୟ ରାଜପଥ ଓ ୧୫୭ ରାସ୍ତା ବନ୍ଦ, ବରଫରେ ଫସିଛି ଯାନବାହାନ
ହିମାଚଳ ପ୍ରଦେଶରେ ଜାରି ରହିଛି ପ୍ରବଳ ତୁଷାରପାତ । ଏବେ ବି ଏଠାରେ ୩ ଜାତୀୟ ରାଜପଥ ଏବଂ ୧୫୭ରୁ ଅଧିକ ରାସ୍ତା ବନ୍ଦ ରହିଛି । ଶହ ଶହ ଯାନବାହନ, ପର୍ଯ୍ୟଟକ ଏବଂ ଯାତ୍ରୀ ବର୍ତ୍ତମାନ ଫସି ରହିଛନ୍ତି । ପ୍ରବଳ ତୁଷାରପାତ ଯୋଗୁ ୩୦୦ରୁ ଅଧିକ ଗାଡ଼ି ଅଟକି ରହିଛି । ହିମାଚଳ ପରିବହନ ନିଗମର ଶତାଧିକ ରୁଟରେ ବସଗୁଡ଼ିକ ଅଟକି ରହିଛି ।
ଲାହୋଲ ସ୍ପିତି ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ପର୍ଯ୍ୟଟକଙ୍କ ଗାଡ଼ି ଉଦ୍ଧାର କରାଯାଉଛି । ୨୫ରୁ ଅଧିକ ବିଦ୍ୟୁତ୍ ଲାଇନ ଠପ୍ ହୋଇଯାଇଛି । ସର୍ବାଧିକ ରାସ୍ତା ଶିମଲାରେ ବନ୍ଦ ରହିଛି, ଯାହା ଦ୍ୱାରା ପୂରା ରାଜ୍ୟରେ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇଛି ।
ଏଭଳି ସ୍ଥିତିରେ ହିମାଚଳ ପ୍ରଦେଶ ସରକାରଙ୍କ ପିଡବ୍ଲ୍ୟୁ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ସମସ୍ତ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତୁଷାରପାତର ମୁକାବିଲା ନିମନ୍ତେ ପିଡବ୍ଲ୍ୟୁ ବିଭାଗ ୨୬୮ଟି ମେସିନ୍ ନିୟୋଜିତ କରିଛି ।
ରାଜ୍ୟ ଜରୁରୀକାଳୀନ କେନ୍ଦ୍ର ଅନୁସାରେ, ଶିମଲା ଜିଲ୍ଲାରେ ସର୍ବାଧିକ ୭୭ଟି ରାସ୍ତା, କୁଲୁରେ ୨୫, ଲାହୋଲ ସ୍ପିତିରେ ୩୬ ଏବଂ ମଣ୍ଡିରେ ୧୪ଟି ରାସ୍ତା ବନ୍ଦ ରହିଛି । ଏହା ବ୍ୟତୀତ ୧୨ଟି ଜଳ ପ୍ରକଳ୍ପ ବନ୍ଦ ପଡ଼ିଛି । ୨୫ଟି ଟ୍ରାନ୍ସଫର୍ମର ବ୍ୟାହତ ହୋଇଥିବାରୁ ରାଜ୍ୟର କେତେକ ସ୍ଥାନରେ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ ହୋଇଯାଇଛି । ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ରହିଛି ।
ଏହାରି ମଧ୍ୟରେ ପାଣିପାଗ ବିଭାଗ ଡିସେମ୍ବର ୨୯ ଓ ୩୦ରେ ହିମାଚଳର ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ବରଫ ବର୍ଷାର ଚେତାବନୀ ଜାରି କରିଛି ।
କହି ରଖୁଛୁ, ଉତ୍ତର ଭାରତ ସମେତ ଦେଶର ଅଧିକାଂଶ ଭାଗରେ ବର୍ତ୍ତମାନ ଶୀତ ଲହରି ଜାରି ରହିଛି । ପାହାଡ଼ଗୁଡ଼ିକ ଉପରେ ବରଫ ବର୍ଷା ଲାଗି ରହିଥିବାରୁ ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି ।