୩ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ, ଜବତ ହୋଇଛି ବିପୁଳ ଅସ୍ତ୍ରଶସ୍ତ୍ର

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀର କିସ୍ତୱାରାରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି । ଆଉ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣା ସ୍ଥଳରୁ AK ଓ M4 ରାଇଫଲ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏବେ ବି ଅପରେସନ୍ ଜାରି ରହିଛି । ସେପଟେ ଏଲଓସି ଅଖନୁର ସେକ୍ଟରରେ ଆତଙ୍କାବଦୀଙ୍କ ଗୁଳିରେ ସହିଦ ହୋଇଛନ୍ତି ଜଣେ ଆର୍ମୀ ଅଫିସର ।
ଏନକାଉଣ୍ଟର ବେଳେ ଜଣେ JCOଙ୍କ ଦେହରେ ଗୁଳି ଲାଗିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅଖନୁର ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ସେ ମୁକାବିଲା କରିଥିଲେ । ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଥିବା ଆର୍ମୀ ପକ୍ଷରୁ ସୂଚନା ଦିଆଯାଇଛି । ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରୁଛି ସେନା ।
ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କର୍ପସ୍ ଏକ ପୋଷ୍ଟରେ ଲେଖିଛନ୍ତି, ଖରାପ ପାଗ ସତ୍ତ୍ୱେ କିସ୍ତୱାରର ଛତରୁରେ ଚାଲିଥିବା ଅପରେସନରେ ଆଉ ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି । ମୋଟ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ଅଞ୍ଚଳରେ ଅପରେସନ୍ ଜାରି ରହିଛି ।
କିସ୍ତୱାର ଏନକାଉଣ୍ଟରରେ ଜୈଶ କମାଣ୍ଡର ସୈଫୁଲ୍ଲା ମଧ୍ୟ ନିହତ ହୋଇଥିଲା । ଏନକାଉଣ୍ଟରରେ ନିହତ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ସୈଫୁଲ୍ଲା, ଫରମାନ ଏବଂ ବାଶାଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା । ଏକ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ସେନା ସମସ୍ତ ତିନି ଆତଙ୍କବାଦୀଙ୍କୁ ହତ୍ୟା କରିଛି । ବର୍ତ୍ତମାନ, ସୁରକ୍ଷା ଏଜେନ୍ସିଗୁଡ଼ିକ ହେଲିକପ୍ଟର ଏବଂ ଡ୍ରୋନ ନିରୀକ୍ଷଣ ମାଧ୍ୟମରେ ନିରନ୍ତର ସନ୍ଧାନ ଅଭିଯାନ ଚଳାଇଛନ୍ତି ।
Also read: ଆଫଗାନିସ୍ତାନ ସୀମାରେ ପାକ୍ ସେନାକୁ ସଫଳତା, ୩୦ ଆତଙ୍କବାଦୀ ନିହତ