ରାଜସ୍ଥାନ: ନିର୍ବନ୍ଧ ଭୋଜି ଖାଇ ୩ ମୃତ, ଖାଦ୍ୟ ବିଷାକ୍ତକରଣ ଯୋଗୁ ୩୦ରୁ ଅଧିକ ଲୋକ ଅସୁସ୍ଥ
ନିର୍ବନ୍ଧ ଭୋଜିରେ ଖେଳିଗଲା ଶୋକର ଛାଇ । ରାଜସ୍ଥାନର ଉଦୟପୁରରେ ଖାଦ୍ୟ ବିଷାକ୍ତକରଣ ଯୋଗୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା କୋଟଡ଼ା ଥାନା ଅଞ୍ଚଳରେ ଘଟିଥିବା କୁହାଯାଉଛି ।

ନିର୍ବନ୍ଧ ଭୋଜିରେ ଖେଳିଗଲା ଶୋକର ଛାଇ । ରାଜସ୍ଥାନର ଉଦୟପୁରରେ ଖାଦ୍ୟ ବିଷାକ୍ତକରଣ ଯୋଗୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା କୋଟଡ଼ା ଥାନା ଅଞ୍ଚଳରେ ଘଟିଥିବା କୁହାଯାଉଛି । ଏଠାରେ ଏକ ନିର୍ବନ୍ଧ ଭୋଜିରେ ଖାଦ୍ୟ ଖାଇବା ପରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।
ମିଳିଥିବା ସୂଚନା ମୁତାବକ, କୋଟଡ଼ାରେ ଏକ ନିର୍ବନ୍ଧ ଉତ୍ସବ ଚାଲିଥିଲା । ଏଠାରେ ଭୋଜି ଖାଇବା ପରେ ବହୁ ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ତୁରନ୍ତ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଫୁଡ୍ ପଏଜନିଂ ବା ଖାଦ୍ୟ ବିଷାକ୍ତକରଣ ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଭୋଜିରେ ଖରାପ ତଥା ଦୂଷିତ ଖାଦ୍ୟ ଖାଇବା ପରେ ଲୋକମାନେ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଛି ।
ସେପଟେ ଏହି ଘଟଣା ବିଷୟରେ ସୂଚନା ପାଇ କ୍ୟାବିନେଟ୍ ମନ୍ତ୍ରୀ ବାବୁଲାଲ ଖରାଡ଼ି ଡାକ୍ତରଖାନାରେ ପହଞ୍ଚିଥିଲେ । ସେ ଅସୁସ୍ଥ ଲୋକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ଚିକିତ୍ସା ସମ୍ବନ୍ଧରେ ଅବଗତ ହୋଇଥିଲେ ।
ଏହି ମାମଲା ସମ୍ପର୍କରେ ଜଣେ ପୋଲିସ ଅଧିକାରୀ କହିଛନ୍ତି, ଏହା ଗତକାଲିର ଘଟଣା । ଏଠାରେ କୋଟଡ଼ା ତହସିଲରେ ରାତିରେ ଜଣେ ଯୁବକଙ୍କର ନିର୍ବନ୍ଧ କାର୍ଯ୍ୟକ୍ରମ ଥିଲା । ଏହି ନିର୍ବନ୍ଧ ଉତ୍ସବରେ ବହୁ ସଂଖ୍ୟାରେ ଲୋକେ ସାମିଲ ହୋଇ ଭୋଜି ଖାଇଥିଲେ ।
ହେଲେ ଭୋଜି ଖାଇ ସାରିବା ପରେ ଅନେକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା, ଯାହା ପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାମଲାର ଗମ୍ଭୀରତାକୁ ଦେଖି ଅନେକ ଅସୁସ୍ଥଙ୍କୁ ଗୁଜରାଟ ସ୍ଥାନାନ୍ତର କରାଯାଇଥିଲା । ତଦନ୍ତରୁ ସାମ୍ନାକୁ ଆସିିଛି ଯେ ଦୂଷିତ ଖାଦ୍ୟ ଖାଇ ଏକ ସାଥୀରେ ଅନେକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।