କେନ୍ଦ୍ର ସରକାର କର୍ମଚାରୀଙ୍କୁ ଦୀପାବଳି ଭେଟି, ୩ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ବଡ ଭେଟି । ୩ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା (DA) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନଟେ ବୈଠକ ବସିଥିବା ବେଳେ ମହଙ୍ଗା ଭତ୍ତା ଉପରେ ମୋହର ବାଜିଛି । ଦୀପାବଳି ଉପଲକ୍ଷେ ଉପହାର ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏହା ଦ୍ବାରା ୧ କୋଟିରୁ ଉର୍ଦ୍ଧ୍ବ କର୍ମଚାରୀ ଉପକୃତ ହେବେ । ବର୍ତ୍ତମାନ କର୍ମଚାରୀଙ୍କ ଡିଏ ୫୦ ପ୍ରତିଶତ ରହିଥିବା ବେଳେ ଏହି ବୃଦ୍ଧି ଫଳରେ ତାହା ୫୩ ପ୍ରତିଶତରେ ପହଞ୍ଚିଛି ।
ଏହା ପିଛିଲା ଭାବେ ଗତ ଜୁଳାଇ ୧ ତାରିଖରୁ ଲାଗୁ ହେବ । ସାଧାରଣ ଭାବେ କେନ୍ଦ୍ର ସରକାର ଜାନୁଆରୀ ଓ ଅକ୍ଟୋବରରେ ବର୍ଷକୁ ଦୁଇଥର ଡିଏ ବୃଦ୍ଧି କରିଥାନ୍ତି । ଏହା ପୂର୍ବରୁ ଗତ ମାର୍ଚ୍ଚରେ କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିବା ବେଳେ ଏହା ୪୬ରୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଥାଏ । ବର୍ତ୍ତମାନ ୩ ପ୍ରତିଶତ ବଢାଇଥିବା ବେଳେ ଏହା ୫୩କୁ ବୃଦ୍ଧି ପାଇଛି । ଏହାଦ୍ବାରା କର୍ମଚାରୀ ଏବଂ ପେନସନ ଭୋଗୀ ଉପକୃତ ହେବେ । ଅକ୍ଟୋବର ମାସର ଦରମାରେ ତିନି ମାସର ଏରିୟର ଏବଂ ଡିଏକୁ ମିଶାଇ ମିଳିବ ।
ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ଉପରେ ୯,୪୪୮ କୋଟି ଟଙ୍କାର ଅତିରିକ୍ତ ବୋଝ ବଢିବ । ସରକାରଙ୍କ ଏଭଳି ନିଷ୍ପତ୍ତିରେ ୪୯.୧୮ ଲକ୍ଷର କେନ୍ଦ୍ର କର୍ମଚାରୀ ଏବଂ ୬୪.୮୯ ଲକ୍ଷ ପେନସନଧାରୀଙ୍କୁ ଫାଇଦା ମିଳିବ । ଡିଏକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।