ଅନଲାଇନ୍ ଗେମ୍ ନେଲା ଜୀବନ… ରେଳଧାରଣା ଉପରେ ବସି ଖେଳୁଥିଲେ, ଟ୍ରେନ୍ ମାଡ଼ି ଆସିବାରୁ ୩ ନାବାଳକ ମୃତ

ପୁଣି ଅନଲାଇନ୍ ଗେମ୍ ନେଲା ଜୀବନ । ବିହାରର ବେତିୟାରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ଟ୍ରେନ୍ ଧକ୍କାରେ ୩ ନାବାଳକଙ୍କ ମୃତ୍ୟୁ ହୋଇଛି । ଏହି ତିନି ଜଣ ସାଙ୍ଗ ରେଳଧାରଣା ଉପରେ ବସି ଅନଲାଇନ୍ ଗେମ୍ ଖେଳୁଥିଲେ । ଏହି ସମୟରେ ଏକ ଟ୍ରେନ୍ ଆସି ସେମାନଙ୍କୁ ଧକ୍କା ଦେଇଥିଲା, ଆଉ ଏଥିରେ ୩ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

ଏହି ଘଟଣା ବେତିୟା ଓ ମଝୋଲିୟା ଷ୍ଟେସନ ମଝିରେ ମନସା ଟୋଲା ଗୁମଟି ନିକଟରେ ଘଟିଛି । ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ତିନି ଜଣ ସାଙ୍ଗ କାନରେ ଇୟରଫୋନ୍ ଦେଇ ରେଳ ଟ୍ରାକ୍ ଉପରେ ବସି ଗେମ୍ ଖେଳୁଥିଲେ । ଏହି ସମୟରେ ଯେତେବେଳେ ଟ୍ରେନ୍ ଆସିଥିଲା, ସେମାନେ ଏହାର ଶବ୍ଦ ଶୁଣିପାରି ନ ଥିଲେ । ଯାହାଫଳରେ ନାବାଳକମାନେ ଟ୍ରେନ୍ ସଂସ୍ପର୍ଶରେ ଆସିଯାଇଥିଲେ ।

ମୁଜଫରପୁରରୁ ନରକଟିଆଗଞ୍ଜ ଯାଉଥିବା ଏକ ମେମୁ ଟ୍ରେନ୍ ସେମାନଙ୍କ ଉପରେ ମାଡ଼ିଯାଇଥିଲା । ଦୁର୍ଘଟଣା ପରେ ଆଖପାଖର ଲୋକ ସେଠାରେ ରୁଣ୍ଡ ହୋଇଯାଇଥିଲେ । ଖବର ପାଇ ପୋଲିସ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲା । ପୋଲିସ ମୃତକମାନଙ୍କୁ ଚିହ୍ନଟ କରିଛି । ସମସ୍ତେ ଗୋଟିଏ ହିଁ ଗାଁର ବାସିନ୍ଦା ।

ଏପଟେ ଖବର ପାଇ ପରିବାର ଲୋକେ ପହଞ୍ଚି ମୃତଦେହକୁ ନିଜ ସହିତ ନେଇଯାଇଥିଲେ । ବହୁ ପରିଶ୍ରମ ପରେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଘଟଣାସ୍ଥଳରେ ସଦର ଏସଡିପିଓ ବିବେକ ଦୀପ୍ ଓ ଆରପିଏଫ୍ ପହଞ୍ଚି ଯାଞ୍ଚ କରୁଛନ୍ତି ।