୭୦ ବର୍ଷ ଏବଂ ତାଠାରୁ ଅଧିକ ବର୍ଷ ବୟସର ଲୋକଙ୍କୁ ମିଳିବ ଆୟୁଷ୍ମାନ ଭାରତରେ ମାଗଣା ସ୍ୱାସ୍ଥ୍ୟ ସେବା । ସମସ୍ତ ଆୟ ବର୍ଗର ଲୋକଙ୍କ ପାଇଁ ଏହା ଲାଗୁ ହେବ । ଏଥିପାଇଁ ୩ ହଜାର ୪୩୭ କୋଟି ଟଙ୍କା ଖର୍ଚ୍ଚ ହେବ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସୁଫଳ ସମୁଦାୟ ୪ କୋଟି ୫୦ ଲକ୍ଷ ପରିବାରକୁ ମିଳିବା ସହ ୬ କୋଟିରୁ ଅଧିକ ବରିଷ୍ଠ ନାଗରିକ ଉପକୃତ ହେବେ । ଏହି ପରିବାରଗୁଡିକୁ ଅଧିକ ୫ ଲକ୍ଷ ଟଙ୍କାର ଟପ୍ ଅପ କଭରେଜ ମିଳିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
କେନ୍ଦ୍ର କ୍ୟାବିନେଟ ବୈଠକରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପରିସର ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଛି । ଯୋଜନାର ଲାଭ ଉଠାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ କାର୍ଡ ଇସ୍ୟୁ କରାଯିବ । କେନ୍ଦ୍ର ସରକାରଙ୍କ ଅନ୍ୟ ସ୍ୱାସ୍ଥ୍ୟ ଯୋଜନାଗୁଡିକର ଲାଭ ନେଉଥିବା ବ୍ୟକ୍ତିମାନେ ଯେକୌଣସି ଯୋଜନା ଚୟନ କରିପାରିବେ । ସେହିପରି କ୍ୟାବିନେଟ ବୈଠକରେ ହାଇଡ୍ରୋପାୱାର, ପ୍ରଧାନମନ୍ତ୍ରୀ ଇ-ଡ୍ରାଇଭ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ଚତୁର୍ଥ ପର୍ଯ୍ୟାୟ, ମିଶନ ମୌସମ ଯୋଜନାକୁ ମଧ୍ୟ ମଂଜୁରୀ ମିଳିଛି ।