ଜମ୍ମୁ-କାଶ୍ମୀର: ନର୍ସିଂ ଛାତ୍ରଙ୍କୁ ନେଇ ଯାଉଥିବା ମିନି ବସ୍ ଖାଇକୁ ଖସିଲା, ୩୦ ଆହତ

ଜମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଏକ ମିନି ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଛି । ଗଭୀର ଖାଇକୁ ଖସି ପଡ଼ିବା ଫଳରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଆହତମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ନର୍ସିଂ ଛାତ୍ର ।

ମିଳିଥିବା ସୂଚନା ମୁତାବକ, ଜିଲ୍ଲାର ଫରନା ମାଗଜୋଟ୍ ଅଞ୍ଚଳରେ ଏକ ଯାତ୍ରୀବାହୀ ମିନି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨୬ ଜଣ ନର୍ସିଂ ଛାତ୍ରଙ୍କ ସମେତ ୩୦ ଜଣ ଆହତ ହୋଇଛନ୍ତି । ବସ୍ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି ।

ଖବର ପାଇ ଉଦ୍ଧାରକାରୀ ଟିମ୍ ପହଞ୍ଚି ରେସକ୍ୟୁ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ବସ୍ ସଲମାରୀରୁ ଉଧମପୁର ଯାଉଥିବା ବେଳେ ମଧ୍ୟାହ୍ନ ସାଢ଼େ ୧୨ଟାରେ ଦୁର୍ଘଟଣାର ଶିକାର ହୋଇଥିଲା । ଫରମା ଗାଁ ନିକଟରେ ଏହା ଖାଇକୁ ଖସିପଡ଼ିଛି ।

ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ସ୍ଵତନ୍ତ୍ର ଚିକିତ୍ସା ପାଇଁ ଜମ୍ମୁ ନିଆଯାଉଛି । ଉଧପୁରର ଡେପୁଟି କମିଶନର ସଲୋନୀ ରାୟ ଆହତମାନଙ୍କ ସ୍ଥିତି ବିଷୟରେ ଜାଣିବା ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି । ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ପରେ ସେ କହିଛନ୍ତି ଯେ ପ୍ରାଥମିକ ସୂଚନା ଅନୁସାରେ, ବ୍ରେକ୍ ଫେଲ ହେବା ପରେ ବସ୍ ଖାଇକୁ ଖସିପଡ଼ିଥିଲା । ଏଥିରେ ୩୦ରୁ ଅଧିକ ଯାତ୍ରୀ ଥିଲେ । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଯାଞ୍ଚ କରାଯିବ ।

ସେପଟେ ଆଜି ରାଜସ୍ଥାନର ସିକରରେ ମଧ୍ୟ ଏକ ଦୁଃଖଦାୟକ ଦୁର୍ଘଟଣା ଘଟିଛି । ଏଠାରେ ଲକ୍ଷ୍ମଣଗଡ଼ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ବ୍ରିଜ୍ କାନ୍ଥରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଚାଲିଯାଇଛି । ୩୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି ।

You might also like