ମହାକୁମ୍ଭ ଦଳାଚକଟାରେ ୩୦ ମୃତ, ୬୦ ଆହତ, ଦୁର୍ଘଟଣାର ୧୬ ଘଣ୍ଟା ପରେ ମେଳା ପ୍ରଶାସନ ଜାରି କଲା ତଥ୍ୟ

ପ୍ରୟାଗରାଜ ମହାକୁମ୍ଭରେ ହୋଇଥିବା ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୬୦ ଜଣ ଆହତ ହୋଇଛନ୍ତି । ମୃତକମାନଙ୍କ ମଧ୍ୟରୁ ୨୫ ଜଣଙ୍କ ପରିଚୟ ଜଣାପଡ଼ିଛି । ଦୁର୍ଘଟଣାର ୧୬ ଘଣ୍ଟା ପରେ ମେଳା ପ୍ରଶାସନ ତଥ୍ୟ ପ୍ରକାଶ କରିଛି । ଗତ ବିଳମ୍ବିତ ରାତିରେ ପ୍ରୟାଗରାଜର ସଙ୍ଗମ ନୋଜରେ ଦଳାଚକଟା ହୋଇଥିଲା । ଏଥିରେ ୧୫ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିଲା । ଆହତମାନଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ମୌନି ଅମାବାସ୍ୟା ଅମୃତ ସ୍ନାନ ପୂର୍ବରୁ ମହାକୁମ୍ଭରେ ଦଳାଚକଟା ହୋଇଛି । ସଙ୍ଗମ ସ୍ଥଳରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ମୌନୀ ଅମାବାସ୍ୟା ଥିବାରୁ ଅମୃତ ସ୍ନାନ ରହିଥିଲା । ଏଥିପାଇଁ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ଭିଡ଼ ବିଳମ୍ବିତ ରାତିରୁ ବଢ଼ିଥିଲା । ଆଉ ବିଳମ୍ବିତ ରାତି ପ୍ରାୟ ୧ଟାରେ ଦଳାଚକଟା ପରେ ଅମୃତ ସ୍ନାନକୁ ବାତିଲ୍ କରି ଦିଆଯାଇଛି । ୫୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦଳଚକଟା ପରେ ଅମୃତସ୍ନାନ ରଦ୍ଦ କରିଛି ଆଖଡ଼ା ସଂଘ ।
ଦୁର୍ଘଟଣା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୁରନ୍ତ ଆବଶ୍ୟକୀୟ ସହାୟତା ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ।
ଅନ୍ୟପଟେ ୧୪୪ ବର୍ଷ ପରେ ପଡ଼ିଥିବା ମହାକୁମ୍ଭ ମେଳାରେ ଗତ ୧୭ ଦିନ ମଧ୍ୟରେ ୧୫ କୋଟିରୁ ଅଧିକ ତୀର୍ଥଯାତ୍ରୀ ସ୍ନାନ କରିଥିବା ଉତ୍ତରପ୍ରଦେଶ ସରକାର ସୂଚନା ଦେଇଛନ୍ତି । ବୁଧବାର ମୌନି ଅମାବାସ୍ୟାରେ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ‘ଅମୃତ ସ୍ନାନ’ କରିବେ ବୋଲି ଆଶା କରାଯାଉଥିବାରୁ ପ୍ରୟାଗରାଜରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କୋଟି କୋଟି ଲୋକଙ୍କ ସମାଗମ ପାଇଁ ସୁରକ୍ଷା ବ୍ୟବସ୍ଥା ଅଦ୍ଭୁତପୂର୍ବ ରହିଛି । ମେଳା ଅଞ୍ଚଳକୁ ନୋ-ଭେଇକିଲ ଜୋନ୍ ଘୋଷଣା କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: ମହାକୁମ୍ଭରେ ମହା ଅଘଟଣ: ଅମୃତ ସ୍ନାନ ପୂର୍ବରୁ ଦଳାଚକଟା, ୧୫ ମୃତ ଆଶଙ୍କା