ଦିଲ୍ଲୀରେ ଘନ କୁହୁଡ଼ି, ୩୦୦ ବିମାନ ସେବା ବିଳମ୍ବ

ଦିଲ୍ଲୀରେ ଗୁରୁବାର ଏୟାର କ୍ଵାଲିଟି ସାଂଘାତିକ ସ୍ଥିତିରେ ପହଞ୍ଚିଛି । ସକାଳ ୬ଟାରେ ରାଜଧାନୀର ୩୧ ଅଞ୍ଚଳରେ ପ୍ରଦୂଷଣ ଅତି ଖରାପ ଶ୍ରେଣୀରୁ ଗମ୍ଭୀର ଶ୍ରେଣୀକୁ ଖସି ଆସିଥିଲା । ଜାହାଙ୍ଗୀରପୁରୀରେ ସର୍ବାଧିକ AQI ୫୬୭ ରେକର୍ଡ କରାଯାଇଛି । ଏହିପରି ପଞ୍ଜାବ ବାଗରେ ୪୬୫ ଥିବାବେଳେ ଆନନ୍ଦ ବିହାରରେ AQI ୪୬୫ ରେକର୍ଡ କରାଯାଇଛି ।

ରିପୋର୍ଟ ମୁତାବକ, ଘନ କୁହୁଡ଼ି ଯୋଗୁ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ୩୦୦ରୁ ଅଧିକ ବିମାନ ସେବା ବିଳମ୍ବ ହୋଇଛି । ଦ୍ୱିପ୍ରହର ସୁଦ୍ଧା ୧୧୫ ବିମାନ ଆସିଥିଲା ଏବଂ ୨୨୬ ବିମାନ ଉଡ଼ାଣ ଭରିଥିଲା ।

ସୂଚନା ଅନୁସାରେ, ବିମାନ ଆସିବାରେ ୧୭ ମିନିଟ ଏବଂ ଉଡ଼ାଣ ଭରିବାରେ ୫୪ ମିନିଟ୍ ବିଳମ୍ବ ହୋଇଥିଲା । ବୁଧବାର ମଧ୍ୟ ଘନ କୁହୁଡ଼ି ଯୋଗୁ ଏୟାରପୋର୍ଟରେ ୧୦ଟି ବିମାନକୁ ଡାଏଭର୍ଟ କରି ଦିଆଯାଇଥିଲା ଏବଂ ୧୦୦ ବିମାନ ବିଳମ୍ବ ହୋଇଥିଲା ।

ଦିଲ୍ଲୀ ଏୟାରପୋର୍ଟ ‘ଏକ୍ସ’ରେ ଲେଖିଛି, ‘ବିମାନବନ୍ଦରରେ କମ୍ ଭିଜିବିଲିଟି ରହିଛି । ଆମେ ଯାତ୍ରୀମାନଙ୍କୁ ନିବେଦନ କରୁଛି କି, ବିମାନ ଯିବାଆସିବା ସମ୍ବନ୍ଧରେ ସମ୍ପୃକ୍ତ ଏୟାରଲାଇନଠାରୁ ଅପଡେଟ୍ ନିଅନ୍ତୁ’ ।

ସେପଟେ ନୂଆଦିଲ୍ଲୀ ରେଲୱେ ଷ୍ଟେସନ ଆସିବାକୁ ଥିବା ପ୍ରାୟ ୩୫ରୁ ୪୦ଟି ଟ୍ରେନ୍ ବିଳମ୍ବରେ ଚାଲିଛି । ଟ୍ରେନ ଚଳାଚଳ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି ।

You might also like