ସାଇବର ଠକେଇକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଏଠାରେ ଟୁରିଷ୍ଟ ଭିସାରେ ଯାଇଥିବା ପାଖାପାଖି ୩୦ ହଜାର ଭାରତୀୟ ଦେଶକୁ ଫେରି ନାହାନ୍ତି । ଆଶଙ୍କା କରାଯାଉଛି ଯେ ଏହି ଲୋକମାନଙ୍କୁ ସେଠାରେ ‘ସାଇବର ଗୋଲାମ’ କରାଯାଇଛି ଏବଂ ସେମାନଙ୍କ ଉପରେ ଚାପ ପକାଇ ସାଇବର କ୍ରାଇମ୍ କରାଯାଉଛି ।
ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ବ୍ୟୁରୋ ଅଫ୍ ଇମିଗ୍ରେସନ୍ (BoI) ଏକ ତଥ୍ୟ ପ୍ରସ୍ତୁତ କରିଛି । ଏଥିରୁ ସୂଚନା ମିଳିଛି ଯେ ୨୦୨୨ ଜାନୁୟାରୀରୁ ୨୦୨୪ ମେ’ ମଧ୍ୟରେ ୭୩,୧୩୮ ଭାରତୀୟ ଭିଜିଟର ଭିସାରେ କାମ୍ବୋଡିଆ, ଥାଇଲାଣ୍ଡ, ମିଆଁମାର ଏବଂ ଭିଏତନାମ ଯାତ୍ରା କରିଥିଲେ ।
ସେମାନଙ୍କ ମଧ୍ୟରୁ ୨୯,୪୬୬ ଭାରତୀୟ ଏ ପର୍ଯ୍ୟନ୍ତ ଫେରି ନାହାନ୍ତି । ଏଥିରେ ୨୦ରୁ ୩୯ ବର୍ଷ ବୟସର ଲୋକଙ୍କ ସଂଖ୍ୟା ପାଖାପାଖି ଅଧା ଅର୍ଥାତ୍ ୧୭,୧୧୫ । ସେମାନଙ୍କ ମଧ୍ୟରେ ୯୦ ପ୍ରତିଶତ ହେଉଛନ୍ତି ପୁରୁଷ । ଭାରତ ଫେରି ନ ଥିବା ଲୋକଙ୍କ ମଧ୍ୟରେ ସବୁଠାରୁ ଅଧିକ ପଞ୍ଜାବ (୩,୬୬୭), ମହାରାଷ୍ଟ୍ର (୩,୨୩୩) ଏବଂ ତାମିଲନାଡୁ (୩,୧୨୪) ରାଜ୍ୟରୁ ଯାଇଛନ୍ତି । ଅନ୍ୟ ରାଜ୍ୟରୁ ଯାଇଥିବା ଲୋକଙ୍କ ସଂଖ୍ୟା ବହୁତ କମ୍ ।
ରିପୋର୍ଟ ମୁତାବକ, ଭାରତରେ ରହୁଥିବା ଲୋକଙ୍କ ସହ ସାଇବର ଠକେଇ କରିବାକୁ ଏହି ଲୋକଙ୍କ ଉପରେ ଚାପ ପକାଯାଉଥିବା ସନ୍ଦେହ କରାଯାଉଛି । ଚାକିରିର ପ୍ରଲୋଭନ ଦେଖାଇ ସେମାନଙ୍କୁ ସାଇବର ଗୋଲାମ କରି ରଖାଯାଇଛି ।
କେନ୍ଦ୍ର ସରକାରଙ୍କର ଏକ ଉଚ୍ଚସ୍ତରୀୟ କମିଟି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଲୋକଙ୍କର ସମ୍ପୂର୍ଣ୍ଣ ବିବରଣୀ ଯାଞ୍ଚ ଏବଂ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛି ।