ଇଂଲିଶ ଚ୍ୟାନେଲରେ ବୁଡିଲା ଡଙ୍ଗା, ଫ୍ରାନ୍ସରୁ ବ୍ରିଟେନ ଯାଉଥିବା ୩୧ ଶରଣାର୍ଥୀ ମୃତ

ଇଂଲିଶ ଚ୍ୟାନେଲରେ ବୁଧବାର ଦିନ ଏକ ବଡ଼ ଦୁର୍ଘଟଣା ଘଟିଛି। ଶରଣାର୍ଥୀକୁ ନେଇ ଯାଉଥିବା ଏକ ବୋଟ୍‌ ବୁଡିଯାଇଛି। ଏହି ଘଟଣାରେ ୩୧ ଲୋକ ମୃତ୍ୟୁବରଣ କରିଥିବା ଖବର ମିଳିଛି। ଏହି ଦୁର୍ଘଟଣା ଫ୍ରାନ୍ସରୁ ଇଂଲଣ୍ଡ ଯାଉଥିବା ଇଂଲିଶ ଚ୍ୟାନେଲକୁ ପାର୍‌ କରିବା ବେଳେ ଘଟିଛି।

ଫ୍ରାନ୍ସ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମାଛ ଧରାଳିଙ୍କ ସୂଚନା ଦେବା ପରେ ଏହି ଘଟଣା ବିଷୟରେ ଜଣାପଡିଥିଲା। ଫ୍ରାନ୍ସର ଗୃହ ମନ୍ତ୍ରୀ ଗେରାଲ୍ଡ ଡୋର୍ମିନିନ କହିଛନ୍ତି, ଏହି ଦୁର୍ଘଟଣାରେ ୩୪ ଲୋକ ବୁଡିଥିବା ଖବର ମିଳିଥିଲା। ପ୍ରଶାସନକୁ ୩୧ଟି ମୃତଦେହ ମିଳିଥିବା ବେଳେ ୨ ଜଣ ଜୀବିତ ରହିଛନ୍ତି। ମୃତ୍ୟୁବରଣ କରିଥିବା ବ୍ୟକ୍ତି କେଉଁ ଦେଶର ଏଯାଏଁ ଜଣାପଡିନାହିଁ।

ଏହି ଘଟଣାରେ ନିଖୋଜ ହୋଇଥିବା ବ୍ୟକ୍ତିଙ୍କୁ ଫ୍ରାନ୍ସ ଏବଂ ବ୍ରିଟେନ ମିଶି ସର୍ଚ୍ଚ ଅପରେସନ କରୁଛନ୍ତି। ଏହି ଘଟଣାରେ ଚାରି ଜଣ ସନ୍ଦିଗ୍ଧକୁ ଗିରଫ କରିଛି ଫ୍ରାନ୍ସ ଏବଂ ଗୃହମନ୍ତ୍ରୀ ସୂଚନା ଦେଇଛି। ଏହି ଘଟଣାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଜରୁରୀକାଳିନ ବୈଠକ ଡାକିଥିଲେ। ସେହିପରି ଫ୍ରାନ୍ସ ଗୃହମନ୍ତ୍ରୀ ଆହତଙ୍କୁ ଭେଟିବା ପାଇଁ ହସପିଟାଲ ପହଞ୍ଚିଥିଲେ।

ସୂଚନା ମୁତାବକ, ଆଫଗାନିସ୍ତାନ, ଇରାକ, ସୁଡାନ ଭଳି ଦେଶରେ ଚାଲିଥିବା ସଂଘର୍ଷ ଯୋଗୁଁ ଲୋକ ଫ୍ରାନ୍ସ ଏବଂ ବ୍ରିଟେନକୁ ଲୁଚି ପଳାଉଛନ୍ତି। ପ୍ରତିକୂଳ ପରିସ୍ଥିତି, ଖରାପ ପାଣିପାଗକୁ ଖାତିର ନ କରି ଏକ ଛୋଟ ଡଙ୍ଗାରେ ଲୋକମାନେ ଇଂଲିଶ ଚ୍ୟାନେଲକୁ ପାର କରୁଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ପାର ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହିବର୍ଷ ଛୋଟ ଡଙ୍ଗାରେ ପାର ହେଉଥିବା ଲୋକଙ୍କ ସଂଖ୍ୟା ୨୫ ହଜାରରୁ ଅଧିକ ରହିଛି। ଯାହାକି ଗତବର୍ଷ ତୁଳନାରେ ୩ ଗୁଣା ଅଧିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.