ପଞ୍ଜାବୀ ସିଙ୍ଗର ଦିଲଜିତ୍ ଦୋସାଞ୍ଜଙ୍କ କନସର୍ଟରେ ଅନେକ ଲୋକଙ୍କ ମୋବାଇଲ ଫୋନ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ରବିବାର ଜୟପୁରରେ ଆୟୋଜିତ କନସର୍ଟରେ ଏକ ଗ୍ୟାଙ୍ଗ ଭିଡ଼ ଭିତରେ ପଶି ମୋବାଇଲ୍ ଫୋନ ଚୋରି କରି ନେଇଛନ୍ତି । ନିକଟରେ ଏହି ଘଟଣାର ଖୁଲାସା ହୋଇଛି ।
ଖବର ମୁତାବକ, ଏହି ମ୍ୟୁଜିକାଲ୍ ଇଭେଣ୍ଟରେ ଚୋରମାନେ ଲୋକଙ୍କ ପକେଟ ଖାଲି କରିଛନ୍ତି । ଘଟଣା ପରେ ସ୍ଥାନୀୟ ସାଙ୍ଗାନେର୍ ଥାନାରେ ଗୋଟିଏ ହିଁ ଦିନରେ ୩୨ଟି ମୋବାଇଲ ଫୋନ୍ ଚୋରି ନେଇ ଏଫଆଇଆର୍ ପଞ୍ଜିକୃତ ହୋଇଛି ।
ତେବେ କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ପାଖାପାଖି ୧୦୦ରୁ ଅଧିକ ଫୋନ୍ ଚୋରି ହୋଇଛି, ଯେଉଁଥିରୁ କେବଳ ୩୨ଟି ମାମଲା ରୁଜୁ କରାଯାଇଛି ।
ଶୋ’ରୁ ଯେଉଁ ଲୋକମାନଙ୍କ ଫୋନ୍ ଚୋରି ହୋଇଛି, ସେମାନେ ପୋଲିସରେ ରିପୋର୍ଟ ଲେଖାଇବା ସହିତ ଏବେ ଦିଲଜିତଙ୍କଠାରୁ ମଧ୍ୟ ସହାୟତା ମାଗିଛନ୍ତି । ଚୋରି ମୋବାଇଲ ଫୋନ୍ ଫେରାଇ ଆଣିବାରେ ସହାୟତା କରିବାକୁ ଲୋକେ ନିବେଦନ କରିଛନ୍ତି । ଦିଲଜିତଙ୍କର କିଛି ଫ୍ୟାନ ଭିଡିଓ କରି ତାଙ୍କଠାରୁ ସାହାଯ୍ୟ ମାଗିଛନ୍ତି ।
କହି ରଖୁଛୁ, ଜୟପୁରର ସୀତାପୁରାସ୍ଥିତ ଏକ କନଭେନସନ ସେଣ୍ଟରରେ ଦିଲଜିତ୍ ଦୋସାଞ୍ଜଙ୍କ ମ୍ୟୁଜିକାଲ୍ ଶୋ’ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ଆସିଥିଲେ । ଏବେ ଇଭେଣ୍ଟ ଶେଷ ହେବାର ୨ ଦିନ ପରେ ଜୟପୁର ପୋଲିସ ସୂଚନା ଦେଇଛି ଯେ ସେଠାରୁ ଅନେକ ଲୋକଙ୍କ ମୋବାଇଲ ଫୋନ୍ ଚୋରି ହୋଇଛି ଏବଂ ଏ ନେଇ ଥାନାରେ ମାମଲା ରୁଜୁ କରାଯାଇଛି ।