ଅରୁଣାଚଳ: ମୂଷଳଧାରା ବର୍ଷାରେ ଧୋଇଗଲା ସେତୁ, ଚୀନ ସଂଲଗ୍ନ କୁରୁଙ୍ଗ ଜିଲ୍ଲା ବାହ୍ୟଜଗତରୁ ବିଚ୍ଛିନ୍ନ
ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶରେ ତାଣ୍ଡବ ରଚିଛି ବର୍ଷା । ଗତ ପାଞ୍ଚ ଦିନ ଧରି ପ୍ରବଳ ବର୍ଷା ଯୋଗୁ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି, ଯେଉଁ କାରଣରୁ ଚୀନ୍ ସଂଲଗ୍ନ କୁରୁଙ୍ଗ ଜିଲ୍ଲା ବର୍ତ୍ତମାନ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏଠାରେ କୁରୁଙ୍ଗ ନଦୀ ଉପରେ ନିର୍ମିତ ସେତୁ ବନ୍ୟା ଜଳରେ ଧୋଇ ହୋଇଯାଇଛି । ଫଳରେ ଆଖାପାଖର ୩୪ଟି ଗାଁ ପ୍ରଭାବିତ ହୋଇଛି ।
ଚୀନର ସୀମାବର୍ତ୍ତୀ ଅଞ୍ଚଳ ସଂଲଗ୍ନ କୁରୁଙ୍ଗ ଜିଲ୍ଲାର ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ପ୍ରବଳ ଜଳସ୍ରୋତ ହେତୁ ସେତୁ ଧୋଇ ହୋଇଯାଇଛି । ଏହି ସେତୁ କୁରୁଙ୍କଗ କୁମେ ଜିଲ୍ଲାକୁ ସଂଗ୍ରାମ ଜିଲ୍ଲା ସହିତ ସଂଯୋଗ କରିଥିଲା । ଏହାଛଡ଼ା ଏହା ପାଲିନ୍, ୟାଚୁଲି, ୟାଜଲି ଏବଂ ଇଟାନଗରକୁ ମଧ୍ୟ ସଂଯୋଗ କରୁଥିଲା । ଯୋଗାଯୋଗରେ ଏହି ସେତୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । କୁରୁଙ୍ଗ ସେତୁ ଚୀନ୍ ଆଡକୁ ଯାଉଥିବା ସରଲି ଏବଂ ହୁରି ଅଞ୍ଚଳକୁ ବି ସଂଯୋଗ କରୁଥିଲା ।
ଗତ ପାଞ୍ଚ ଦିନ ଧରି ଲଗାଣ ବର୍ଷା ହେତୁ ନାମସାଇ ଏବଂ ୱାକ୍ରୋ ଜିଲ୍ଲାର ସମସ୍ତ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଦୁଇଟି ଜିଲ୍ଲାର ୩୪ଟି ଗାଁରେ ବନ୍ୟାଜଳ ପଶିଯାଇଛି । ଏ ନେଇ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।
ନାମସାଇର ଜଣେ ଅଧିକାରୀ କହିଛନ୍ତି ଯେ ଗତ ପାଞ୍ଚ ଦିନ ଧରି ମୂଷଳଧାରା ବର୍ଷା ଲାଗି ରହିବା ପରେ ନାମସାଇ ଏବଂ ଲୋହିତ ଜିଲ୍ଲାର ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଲୋହିତର ୱାକ୍ରୋରେ ୩ଟି ଗାଁ, ଚୋଙ୍ଗଖାମ୍ ସର୍କଲର ୧୧ଟି ଗାଁ, ଲାତାଓ ସର୍କଲର ୨ଟି ଗାଁ, ପିୟୋଙ୍ଗ ଓ ନାମସାଇରେ ତିନୋଟି ଲେଖାଏ ଗାଁ ସହ ଲେକାଙ୍ଗ ସର୍କଲର ୧୨ଟି ଗାଁ ବନ୍ୟାଜଳ ଘେରରେ ରହିଛି । ଏହି ସମସ୍ତ ୩୪ଟି ଗାଁକୁ ହାଇ ଆଲର୍ଟରେ ରଖାଯାଇଛି ।