ପ୍ରବଳ ବର୍ଷାରେ ଆନ୍ଧ୍ର-ତେଲେଙ୍ଗାନା ସ୍ଥିତି ସଙ୍ଗୀନ, ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ SDRF, NDRF ଟିମ ନିୟୋଜିତ

ଆନ୍ଧ୍ର ଓ ତେଲଙ୍ଗାନାରେ ବର୍ଷା ବିଭୀଷିକା । ଗଲାଣି ୩୫ ଜୀବନ । ଉଭୟ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବିତ୍ପାତ । କୃତ୍ରିମ ହ୍ରଦ ପାଲଟିଛି ବିଜୟୱାଡ଼ା । ଉଭୟ ରାଜ୍ୟକୁ ସଂଯୋଗ କରୁଥିବା ରାଜପଥ ଧୋଇଯିବାରୁ ଉଭୟ ରାଜ୍ୟ ମଧ୍ୟରେ ଯାତାୟତ ବନ୍ଦ ହୋଇଯାଇଛି । ବଙ୍ଗୋପସାରରେ ସୃଷ୍ଟି ଲଘୁଚାପ ବର୍ଷା ଯୋଗୁ ତେଲଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ପ୍ରାୟ ୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଉଭୟ ରାଜ୍ୟର ପ୍ରବାହିତ ବୁଡ଼ାମେରୁ ଓ ଭଗୁ ସମେତ ବିଭିନ୍ନ ନଦୀର ଜଳ ପତନ ବିପତ ସଙ୍କେତ ଉପରେ ପ୍ରବାହିତ ହେଉଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସେନା ସମେତ SDRF, NDRF ଟିମକୁ ନିୟୋଜିତ କରାଯାଇଛି ।
ସେହିପରି ବିଜୟୱାଡାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଭାରତୀୟ ବାୟୁସେନା ପକ୍ଷରୁ ରିଲିଫ୍ ଅଭିଯାନ କରାଯାଇଛି । ପାଣି ଘେରରେ ଥିବା ଲୋକଙ୍କୁ ରିଲିଫ୍ ସାମଗ୍ରୀ ଦିଆଯାଇଛି । ଏଥିରେ ଇଲ୍ୟୁସିନ୍-୭୬ ଏବଂ C-130 ସମେତ ୪ଟି ବିମାନ ନିୟୋଜିତ ଅଛନ୍ତି । ଏହାସହ ବିଜୟୱାଡାର ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳରେ NDRF ଟିମ୍ ରିଲିଫ୍ ସାମଗ୍ରୀ ପହଞ୍ଚାଇବା କାମ ଜାରି ରଖିଛନ୍ତି।
ପାଣି ଘେରରେ ଥିବା ୧୭ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି । ବିଭିନ୍ନ ସ୍ଥାନରେ ଟ୍ରେନ୍ ଲାଇନ୍ ଧୋଇଯାଇଛି । କେତେକ ସ୍ଥାନରେ ରେଳ ଧାରଣା ପାଣିରେ ଧୋଇଯାଇଥିବାରୁ ୧୪୦ରୁ ଅଧିକ ଟ୍ରେନ୍ ବାତିଲ କରାଯିବା ସହ ଅନେକ ଟ୍ରେନ୍ ର ରୁଟ୍ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ତେଲଙ୍ଗାନାର ୨୫ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୨୬ଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ୩୦ଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । ଆସନ୍ତାକାଲିଠୁ ବର୍ଷାର ମାତ୍ରା କମିବା ସମ୍ଭାବନା ଥିବା ଆକଳ କରିଛି ହାଇଦ୍ରାବାଦ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।