ଇରାନ୍ରେ ବସ୍ ଓଲଟି ୩୫ ପାକିସ୍ତାନୀ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ବ୍ରେକ୍ ଫେଲ୍ ହୋଇ ଘଟିଲା ଦୁର୍ଘଟଣା

ପାକିସ୍ତାନରୁ ଇରାନ୍ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି । ବସ୍ଟି ଇରାନ୍ର ୟଜଦ୍ରେ ଓଲଟି ପଡ଼ିବା ଫଳରେ ୩୫ ଶିୟା ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ପାକିସ୍ତାନୀ ମିଡିଆ ସୂତ୍ରରୁ ଜଣାପଡ଼ିଛି । ମଙ୍ଗଳବାର ରାତିରେ ମଧ୍ୟ ଇରାନୀ ପ୍ରଦେଶ ୟଜଦ୍ରେ ଏହି ଦୁର୍ଘଟଣା ଘଟିଛି ।
ୟଜଦ୍ ପ୍ରଦେଶର ଏକ ଚେକ୍ପୋଷ୍ଟ ନିକଟରେ ବସ୍ଟି ଓଲଟି ପଡ଼ିଥିଲା । ଏଥିରେ ୧୮ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ସମୟରେ ବସ୍ରେ ୫୩ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଲରକାନା, ସିନ୍ଧ ଏବଂ ଘୋଟକି ସହରର ବାସିନ୍ଦା ।
କୁହାଯାଉଛି ଯେ ବ୍ରେକ୍ ଫେଲ୍ ହେବାରୁ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏହାପରେ ସେଥିରେ ନିଆଁ ଲାଗିଯାଇଥିଲା । ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ କୌଣସି ସୁଯୋଗ ମିଳି ନ ଥିଲା ।
ସ୍ଥାନୀୟ ଜରୁରୀକାଳୀନ ସେବା ଅଧିକାରୀ ମହମ୍ମଦ ଅଲି ମାଲେକଜାଦେହ କହିଛନ୍ତି, ସମସ୍ତ ତୀର୍ଥଯାତ୍ରୀ ଇରାନ୍ରେ ଅରବାଇନ୍ ପାଇଁ ଯାଉଥିଲେ । ଏହା ହେଉଛି ଇମାମ ହୁସେନଙ୍କ ୪୦ତମ ଶହୀଦ ଦିବସର ଏକ ଗୁରୁତ୍ୱପୂର୍ଣ୍ଣ ଶିଆ କାର୍ଯ୍ୟକ୍ରମ । ଏଥିରେ ପାଖାପାଖି ୨ କୋଟି ଶିଆ ମୁସଲମାନ ଅଂଶଗ୍ରହଣ କରିଛନ୍ତି ।