ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଚୋରି ଅଭିଯୋଗ, ୩୬ ସୁନାହାର ଚୋରି ହୋଇଥିବା ମାମଲା ରୁଜୁ

ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ୩୬ ଜଣ ଭକ୍ତଙ୍କର ସୁନା ଅଳଙ୍କାର ଚୋରି । ମୁମ୍ବାଇର ମୀରା ରୋଡରେ ଥିବା ସେଣ୍ଟ୍ରାଲ ପାର୍କରେ ଆୟୋଜନ ହୋଇଥିବା କାର୍ଯ୍ୟକ୍ରମକୁ ୨ ଲକ୍ଷରୁ ଅଧିକ ଲୋକ ଆସିଥିଲେ। ତେବେ ପୋଲିସ ଏହି ଘଟଣାରେ ଯାଞ୍ଚ କରୁଛି ।

ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଦରବାରରୁ ସୁନାହାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ମୀରା ରୋଡ୍ ଅନ୍ତର୍ଗତ ସଲାସର୍ ସେଣ୍ଟ୍ରାଲ୍ ପାର୍କରେ ଧୀରେନ୍ଦ୍ରକୃଷ୍ଣ ଶାସ୍ତ୍ରୀ ଆୟୋଜନ କରିଥିବା ଦୁଇଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରାୟ ୩୬ଜଣ ଭକ୍ତଙ୍କର ସୁନାହାର ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି କାର୍ଯ୍ୟକ୍ରମରେ ପାଖାପାଖି ୨ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଆଉ ଚୋର ଏହାର ସୁଯୋଗ ନେଇ ସୁନାହାର ଚୋରି କରିନେଇଥିଲେ ।

ପୋଲିସ ଏଣ୍ଟ୍ରି ଗେଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲେ ସୁଦ୍ଧା ଏତେ ସଂଖ୍ୟକ ଲୋକଙ୍କ ଯୋଗୁଁ ଭିଡ ସମ୍ଭାଳି ହୋଇପାରିନଥିଲା । ଫଳରେ ଏଭଳି ପରିସ୍ଥିତି ଉପୁଜି ଥିଲା । ତେବେ ଏହାକୁ ନେଇ ପୋଲିସ ଅଧିକାରୀମାନଙ୍କ କହିବା ଅନୁସାରେ, ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି ହେବାରୁ ସେମାନେ ଚୋରି ପ୍ରତି ଧ୍ୟାନ ନ ଦେଇ ଲୋକମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣେ ଅଭିଯୋଗକାରିଣୀ ମୀରା ରୋଡ୍ର ସୁନୀତା ଗୱଲି କହିଛନ୍ତି, ଗତ କିଛି ଦିନ ହେବ ତାଙ୍କର ୨ ବର୍ଷର ଝିଅ ଅସୁସ୍ଥ ହୋଇପଡ଼ିଥିଲା। ଭିଡିଓରେ ସେ ଶାସ୍ତ୍ରୀଙ୍କ ଆରୋଗ୍ୟକାରୀ ଶକ୍ତି ଦେଖିଥିଲେ। ତେଣୁ ସେ ଝିଅର ନାମକୁ କାଗଜ ଟୁକୁଡ଼ାରେ ଲେଖି ପକାଇଥିଲେ। ବାବା ତାଙ୍କ ଝିଅର ନାଁ ଚୟନ କରି ତାକୁ ଆରୋଗ୍ୟ କରିଦେବେ ବୋଲି ମହିଳା ଜଣକ ଆଶା କରିଥିଲେ। କିନ୍ତୁ ଝିଅ ଆରୋଗ୍ୟ ହେବା ବଦଳରେ ମହିଳା ଜଣକ ଏକମାତ୍ର ସୁନା ମଙ୍ଗଳସୂତ୍ର ହରାଇଥିଲେ ।

ସୁନା ଚୋରି ମାମଲାରେ କାର୍ଯ୍ୟକ୍ରମର ଆୟୋଜକମାନେ କୌଣସି ମନ୍ତବ୍ୟ ଦେଇ ନ ଥିବା ବେଳେ ପୋଲିସ ସେ ଅଞ୍ଚଳରେ ଥିବା ସିସିଟିଭ କ୍ୟାମେରା ଫୁଟେଜ୍ ଯାଞ୍ଚ କରି ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରି ଧରିବା ଲାଗି ଉଦ୍ୟମ କରୁଛି ବୋଲି ସୂଚନା ମିଳିଛି ।