ଚୀନ: କାରଖାନାରେ ଅଗ୍ନିକାଣ୍ଡ, ୩୬ ମୃତ, ୨ ନିଖୋଜ

ନୂଆଦିଲ୍ଲୀ : ସକାଳୁ ସକାଳୁ ଚୀନ୍‌ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ କେନ୍ଦ୍ରୀୟ ଚୀନ୍‌ର ହେନାନ ପ୍ରଦେଶର ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୩୬ ଜଣଙ୍କର ମୃତ୍ୟୁ ହୋଇଛି। ଅନାଙ୍ଗ ସହରର କାରଖାନାରେ ଏହି ଘଟଣାଟି ଘଟିଛି। ଏହି ଘଟଣାରେ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ନିଖୋଜ ଥିବା କୁହାଯାଉଛି।

ସୂଚନାନୁସାରେ, ସୋମବାର ସନ୍ଧ୍ୟା ପ୍ରାୟ ୪ଟା ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ଅନେକ ଘଣ୍ଟା ପରିଶ୍ରମ କରିବାକୁ ପଡିଥିଲା। ୨୦୦ ରୁ ଅଧିକ ଉଦ୍ଧାରକାରୀ ଏବଂ ପ୍ରାୟ ୬୦ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅନେକ ଘଣ୍ଟା ଧରି ବିଶୃଙ୍ଖଳା ଦେଖାଦେଇଥିଲା।

ରିପୋର୍ଟ ଅନୁଯାୟୀ, ଅଗ୍ନିଶମ ବାହିନୀ ଦଳ ଦ୍ୱାରା ୬୩ଟି ଗାଡି ଘଟଣାସ୍ଥଳକୁ ପଠାଯାଇଥିଲା। ସମୟ ରାତି ୮ ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ରାତି ୧୧ ଟା ବେଳକୁ ନିଆଁ ସମ୍ପୂର୍ଣ୍ଣ ଲିଭାଯାଇଥିଲା । ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଡାକ୍ତରମାନେ କହିଛନ୍ତି ଯେ ବର୍ତ୍ତମାନ ଆହାତ ହୋଇଥିବା ଲୋକଙ୍କ ଅବସ୍ଥା ଭଲ ଅଛି।

ଏହାପୂର୍ବରୁ ମାର୍ଚ୍ଚ ୨୦୧୯ ରେ, ସାଂଘାଇ ଠାରୁ ୨୬୦ କିଲୋମିଟର ଦୂରରେ ଥିବା ୟାନଚେଙ୍ଗର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଥିଲା । ଏହି ଦୁର୍ଘଟଣାରେ ୭୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଘର ନଷ୍ଟ ହୋଇଯାଇଛି। ୨୦୧୫ରେ ମଧ୍ୟ ଉତ୍ତର ତିଆନ୍ଜିନ୍ ର ଏକ ରାସାୟନିକ ଗୋଦାମରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୧୬୫ ଜଣଙ୍କର ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.