କଙ୍ଗୋରେ ବୁସିରା ନଦୀରେ ଓଲଟିଲା ଡଙ୍ଗା, କ୍ରିସମାସ୍ ପାଳନ ପାଇଁ ଯାଉଥିବା ୩୮ ଯାତ୍ରୀଙ୍କ ମୃତ୍ୟୁ, ୧୦୦ରୁ ଅଧିକ ନିଖୋଜ
କଙ୍ଗୋରେ ଡଙ୍ଗା ବୁଡ଼ି ଘଟଣା ଥମିବାର ନାଁ ଧରୁନାହିଁ । କଙ୍ଗୋର ବୁସିରା ନଦୀରେ ପୁଣି ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । କୁହାଯାଉଛି ଯେ କ୍ରିସମାସ ପାଳନ ପାଇଁ ଯାତ୍ରୀମାନଙ୍କୁ ଘରକୁ ନେଇ ଯାଉଥିବା ଏକ ଡଙ୍ଗା ହଠାତ୍ ଭାରସାମ୍ୟ ହରାଇ ନଦୀରେ ଓଲଟି ପଡ଼ିଥିଲା । ଡଙ୍ଗାଟି ବୁଡ଼ିଯିବାରୁ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ନିଖୋଜ ଥିବା ଜଣାଯାଇଛି ।
ରିପୋର୍ଟ ଅନୁଯାୟୀ, ଏହି ଡଙ୍ଗା ଓଭରଲୋଡ୍ ଥିବାରୁ ନଦୀ ତରଙ୍ଗରେ ଅଚାନକ୍ ଅନିୟନ୍ତ୍ରିତ ହୋଇପଡ଼ିଥିଲା । ଏହି ଘଟଣାରେ ୧୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ରିଲିଫ୍ ଏବଂ ଉଦ୍ଧାରକାରୀ ଟିମ୍ ନିଖୋଜ ଲୋକଙ୍କୁ ଖୋଜିବାରେ ଲାଗିଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି ।
ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ବୁସିରା ନଦୀରେ ଘଟିଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । କହି ରଖୁଛୁ ଯେ ଗତ ୪ ଦିନ ତଳେ ମଧ୍ୟ ଏହିପରି ଦେଶର ଉତ୍ତର-ପୂର୍ବରେ ଏକ ଡଙ୍ଗା ବୁଡ଼ିଯିବାରୁ ୨୫ ଜଣଙ୍କ ମୃତ୍ୟୁ ଘଟିଥିଲା ।
ତେବେ ବର୍ତ୍ତମାନ ଏହି ଡଙ୍ଗା ବୁଡ଼ି ଘଟଣାରେ ଏ ପର୍ଯ୍ୟନ୍ତ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ସ୍ଥାନ ନିକଟ ଇଙ୍ଗେଣ୍ଡେ ସହରର ମେୟର ଜୋସେଫ କଙ୍ଗୋଲିଙ୍ଗୋଲି କହିଛନ୍ତି ଯେ ଡଙ୍ଗାଟି କଙ୍ଗୋର ଉତ୍ତର-ପୂର୍ବ ଜଳରାଶିରେ ଥିଲା । ଏଥିରେ ଅଧିକାଂଶ ବ୍ୟବସାୟୀ ଯାତ୍ରା କରୁଥିଲେ । ଏମାନେ ସମସ୍ତେ ଖ୍ରୀଷ୍ଟମାସ ପାଳନ ପାଇଁ ଘରକୁ ଯାଉଥିଲେ ।
ସ୍ଥାନୀୟ ନିବାସୀ ଏନଡୋଲୋ କାଡି କହିଛନ୍ତି, ଏହି ଡଙ୍ଗାରେ ୪୦୦ରୁ ଅଧିକ ଲୋକ ଥିଲେ । ବୋଏଣ୍ଡେ ପଥରେ ଦୁଇଟି ବନ୍ଦର ଇଙ୍ଗେଣ୍ଡେ ଓ ଲୁଲୋ ଦେଇ ଡଙ୍ଗାଟି ଯାଉଥିଲା । ଗତ ଅକ୍ଟୋବରରେ ମଧ୍ୟ ଦେଶର ପୂର୍ବ ଭାଗରେ କ୍ଷମତାଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇଥିଲା । ଏହି ଦୁର୍ଘଟଣାରେ ୭୮ ଜଣଙ୍କ ମୃତ୍ୟୁ ଘଟିଥିଲା ।