ଚିଲିରେ କପଡ଼ା ପାହାଡ଼! ବର୍ଷକୁ ବାହାରୁଛି ୩୯ ହଜାର ଟନ ଆବର୍ଜନା, ଅଳିଆ ଗଦାରୁ କପଡ଼ା ସଂଗ୍ରହ କରୁଛନ୍ତି ଗରିବ ଲୋକେ

ଦକ୍ଷିଣ ଆମେରିକାର ଦେଶ ଚିଲି ନିଜର ସୁନ୍ଦର ପାହାଡ଼, ପର୍ବତ ପାଇଁ ଜଣା ଯାଇଥାଏ। ଏହି ଦେଶରେ ୨୦ ହଜାର ଫୁଟ୍‌ରୁ ଉଚ୍ଚ ୨୨ଟି ପାହାଡ଼ ରହିଛି। କିନ୍ତୁ ଚିଲିର ଏଟାକାମା ମରୁଭୂମିରେ ଏମିତି ଏକ ପାହାଡ଼ ଅଛି, ଯାହା କପଡ଼ା ଏବଂ ଜୋତାରେ ଗଢ଼ି ଉଠିଛି। ଏହି ପାହାଡ଼ରେ କ୍ରିସ୍‌ମାସ ସ୍ୱେଟରଠାରୁ ଆରମ୍ଭ କରି ସ୍କି ବୁଟ୍‌ ପର୍ଯ୍ୟନ୍ତ ଆର୍ବଜନା ଗଦା ହୋଇଛି। ଏଠାରେ ଫିଙ୍ଗି ଦିଆଯାଉଥିବା କପଡ଼ାରୁ ବର୍ଷକୁ ଅତି କମ୍‌ରେ ୩୯ ହଜାର ଟନ ଆବର୍ଜନା ବାହାରୁଛି। ଦ୍ରୁତ ଗତିରେ ବଢ଼ି ଚାଲିଥିବା ଫ୍ୟାଶନ ଇଣ୍ଡଷ୍ଟ୍ରୀ କାରଣରୁ ପ୍ରଦୂଷଣ ମାତ୍ରା ବି ବଢ଼ିବାରେ ଲାଗିଛି। କପଡ଼ା ଗଦାକୁ ଖୋଲାରେ ଛାଡ଼ିବା ଏବଂ ମାଟି ତଳେ ପୋତିଦେବା ଫଳରେ ପରିବେଶକୁ ମଧ୍ୟ କ୍ଷତି ପହଞ୍ଚୁଛି। ଏଥିରୁ ବାହାରୁଥିବା କେମିକାଲ ବାୟୁ ଏବଂ ଅଣ୍ଡରଗ୍ରାଉଣ୍ଡ ଓ୍ଵାଟରରେ ମିଶି ସେଗୁଡ଼ିକୁ ଦୂଷିତ କରୁଛି।

ପ୍ରତିବର୍ଷ ବନ୍ଦରକୁ ଆସିଥାଏ ୫୯ ହଜାର ଟନ କପଡ଼ା

ଚିଲି ଅତୀତରୁ ହିଁ ପୁରୁଣା ତଥା ବିକ୍ରି ହୋଇ ନ ଥିବା କପଡ଼ାର ହବ୍‌ ରହି ଆସିଛି। ଏହି କପଡ଼ା ସବୁ ଚୀନ ଏବଂ ବାଂଲାଦେଶରେ ତିଆରି ହୋଇଥାଏ। ଉତ୍ତର ଚିଲିର ଅଲ୍ଟୋ ହୋସ୍ପିସିୟୋ ଅଞ୍ଚଳରେ ଥିବା ଇକ୍ୱିକ୍‌ ବନ୍ଦରକୁ ପ୍ରତିବର୍ଷ ପାଖାପାଖି ୫୯ ହଜାର ଟନ କପଡ଼ା ଆସିଥାଏ, ଯେଉଁଠି ବ୍ୟବସାୟୀମାନେ ଏହି କପଡ଼ାଗୁଡ଼ିକୁ କିଣି ଥାଆନ୍ତି। ଏଠାରୁ ସୀମା ପାର୍‌ ଅନ୍ୟ ଲାଟିନ୍‌ ଆମେରିକୀୟ ଦେଶମାନଙ୍କୁ କପଡ଼ାର ଚୋରା ଚାଲାଣ ମଧ୍ୟ କରାଯାଇଥାଏ।

ତେବେ ଦେଶର କିଛି ଗରିବ ଲୋକ ଏହି କପଡ଼ା ପାହାଡ଼ ନିକଟକୁ ଆସି ନିଜ ପାଇଁ ଏବଂ ନିଜ ପରିବାର ପାଇଁ ବ୍ୟବହୃତ କପଡ଼ାଗୁଡ଼ିକୁ ସଂଗ୍ରହ କରି ଥାଆନ୍ତି। ସେହିପରି କିଛି ଲୋକ ବିକ୍ରି ଉଦ୍ଦେଶ୍ୟରେ ମଧ୍ୟ ଏଠାକୁ ଆସିଥାଆନ୍ତି। ଯୁକ୍ତରାଷ୍ଟ୍ରର ୨୦୧୯ ରିପୋର୍ଟ ମୁତାବକ, ୨୦୦୦ ଏବଂ ୨୦୧୪ ଭିତରେ ସାରା ବିଶ୍ୱରେ କପଡ଼ାର ଉତ୍ପାଦନ ଦ୍ୱିଗୁଣିତ ହୋଇଛି। ବିଶ୍ୱ ସ୍ତରରେ ସମୁଦାୟ ଜଳର ଅପଚୟ ପାଇଁ ବୟନ ଶିଳ୍ପ ୨୦ ପ୍ରତିଶତ ଦାୟୀ। ସିନ୍ଥେଟିକ୍‌ କେମିକାଲରୁ ଟ୍ରିଟ୍‌ କରାଯାଇଥିବା କପଡ଼ା ବାୟୋଡିଗ୍ରେଡ୍‌ ହେବା ପାଇଁ ୨୦୦ ଦିନ ସମୟ ଲାଗିପାରେ ଏବଂ ଏହା ଟାୟାର ଓ ପ୍ଲାଷ୍ଟିକ୍‌ ଭଳି ବିଷାକ୍ତ ହୋଇଥାଏ। କପଡ଼ା ଉଦ୍ଦ୍ୟୋଗରେ ବଡ଼ ସଂଖ୍ୟାରେ ପିଲାମାନଙ୍କୁ କମ୍‌ ଦରମାରେ କାମ କରିବାକୁ ବାଧ୍ୟ କରାଯାଉଛି। କହି ରଖୁଛୁ, ୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଅଞ୍ଚଳରେ ଗରିବ ଲୋକମାନେ ନିଜର ମୌଳିକ ତଥା ଆବଶ୍ୟକ ଜିନିଷ ଖୋଜିବା ପାଇଁ ଏହି ଆବର୍ଜନା ଗଦା ନିକଟକୁ ଆସିଥାଆନ୍ତି। ଆଉ ଚିଲିରେ ପ୍ରତ୍ୟେକ ବର୍ଷ ଏତେ କପଡ଼ା ଆସିଥାଏ ଯେ ବ୍ୟବସାୟୀମାନେ ଏହାକୁ ବିକ୍ରି କରିବାର ଆଶା ରଖି ପାରି ନ ଥାଆନ୍ତି। ଏପରି କି, ଏଗୁଡ଼ିକୁ ଅନ୍ୟତ୍ର ନେବା ପାଇଁ ଶୁଳ୍କ ମଧ୍ୟ ଭରିବାକୁ ପ୍ରସ୍ତୁତ ନ ଥାଆନ୍ତି।

ଏଠାରେ ଇକୋଫାଇବ୍ରା ଏବଂ ଇକୋସାଇଟେକ୍ସ ଭଳି କମ୍ପାନୀ ଏହି କପଡ଼ାଗୁଡ଼ିକୁ ରିସାଇକେଲ କରିବାର କାମ କରୁଛନ୍ତି। ସେଣ୍ଟିୟାଗୋରେ ଥିବା ଇକୋସାଇଟେକ୍ସର ଷ୍ଟୋରରେ ବ୍ୟବହୃତ କପଡ଼ାଗୁଡ଼ିକୁ ପରିଷ୍କାର କରାଯାଇ ବିକ୍ରି କରାଯାଉଛି। ତେବେ ଏହି ଷ୍ଟୋରକୁ ରୋସାରିୟୋ ହେବିୟା ୨୦୧୯ରେ ଇକୋସାଇଟେକ୍ସର ଶୁଭାରମ୍ଭ ପୂର୍ବରୁ ହିଁ ଖୋଲିଥିଲେ। ଖାସ୍‌ କରି ଏଠାରେ ଛୋଟ ପିଲାଙ୍କ କପଡ଼ାକୁ ରିସାଇକେଲ କରାଯାଉଥିଲା। ଏହି କମ୍ପାନୀ ବ୍ୟବହୃତ କପଡ଼ାର ଗୁଣ୍ଡରୁ ସୂତା ମଧ୍ୟ ପ୍ରସ୍ତୁତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.