ସିକ୍କିମରେ ଶୁକ୍ରବାର ସକାଳୁ ଅନୁଭୂତ ହୋଇଛି ଭୂମିକମ୍ପ ଝଟ୍କା । ସକାଳ ୬ଟା ୫୭ ମିନିଟ୍ରେ ମୃଦୁ ଭୂମିକମ୍ପ ଯୋଗୁ ଲୋକେ ଭୟଭୀତ ହୋଇପଡ଼ିଥିଲେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୪ । ଭୂମିକମ୍ପର କେନ୍ଦ୍ରସ୍ଥଳ ସିକ୍କିମରେ ଥିବାବେଳେ ବିହାରରେ ମଧ୍ୟ ଝଟ୍କା ଅନୁଭୂତ ହୋଇଥିଲା ।
ବିହାରର କିଶାନଗଞ୍ଜରେ ଅନେକ ଲୋକ କମ୍ପନ ଅନୁଭବ କରିଥିଲେ । ଭୂମିକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମବଙ୍ଗ ସିଲିଗୁଡ଼ିର ଅତି ନିକଟତର ଥିଲା । ତେଣୁ ପଶ୍ଚିମବଙ୍ଗ ଓ ବିହାରରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ସେପଟେ ନେପାଳ ଓ ଭୁଟାନରେ ମଧ୍ୟ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା ।
ଭୂମିକମ୍ପର ତୀବ୍ରତା ଅଧିକ ନ ଥିଲା । ବର୍ଷା ସମୟରେ ପାହାଡ଼ିଆ ଅଞ୍ଚଳରେ ଭୂମିକମ୍ପ ଆସିଲେ ଭୂସ୍ଖଳନ ହେବାର ଆଶଙ୍କା ଅଧିକ ରହିଥାଏ ।
ଏହିପରି ଗତକାଲି ମଧ୍ୟ ଭୂମିକମ୍ପର ଜୋର୍ଦାର ଝଟ୍କା ଅନୁଭବ କରିଥିଲେ ଜାପାନବାସୀ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୧ ମପାଯାଇଥିଲା । ଭୂମିକମ୍ପ ଯୋଗୁ ସୁନାମି ଚେତାବନୀ ମଧ୍ୟ ଦିଆଯାଇଥିଲା ।
ଦକ୍ଷିଣ ଜାପାନରେ କମ୍ପନ ଅନୁଭୂତ ହୋଇଥିଲା । ଭୂମିକମ୍ପର ଝଟ୍କା ମିୟାଜାକି ଅଞ୍ଚଳରେ ଅନୁଭବ କରାଯାଇଥିଲା । ଜାପାନର ଉପକୂଳବର୍ତ୍ତୀ ମିୟାଜାକି, କୋଚି, ଇହିମେ, କାଗୋଶିମା ଏବଂ ଆଇତା ଅଞ୍ଚଳରେ ସୁନାମିକୁ ନେଇ ସତର୍କ ସୂଚନା ଜାରି କରାଯାଇଥିଲା ।
ଆପଣଙ୍କ ଅଞ୍ଚଳରେ ଭୂମିକମ୍ପ ଆସିଲେ କ’ଣ କରିବେ ଏବଂ କ’ଣ କରିବେ ନାହିଁ ?
୧. ଯଦି ଆପଣ କୋଠା ଘର ଭିତରେ ଅଛନ୍ତି, ତେବେ ଚଟାଣରେ ବସି ଯାଆନ୍ତୁ କିମ୍ବା କୌଣସି ଶକ୍ତିଶାଳୀ ଆସବାବପତ୍ର ତଳକୁ ଚାଲି ଯାଆନ୍ତୁ । ଯଦି କୌଣସି ଟେବୁଲ୍ କିମ୍ବା ଆସବାବପତ୍ର ନାହିଁ, ତା’ ହେଲେ ନିଜ ମୁହଁ ଓ ମୁଣ୍ଡକୁ ହାତରେ ଢାଙ୍କି ନିଅନ୍ତୁ ଏବଂ ରୁମ୍ର ଏକ କୋଣରେ ଯାଇ ବସନ୍ତୁ ।
୨. ଯଦି ଆପଣ ବିଲ୍ଡିଂ ବାହାରେ ଅଛନ୍ତି, ତେବେ ବିଲ୍ଡିଂ, ଗଛ, ପୋଲ ଏବଂ ବୈଦ୍ୟୁତିକ ତାରଠାରୁ ଦୂରରେ ରୁହନ୍ତୁ ।
୩. ଯଦି ଆପଣ କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି, ତା’ ହେଲେ ଗାଡ଼ିକୁ ଯଥାଶୀଘ୍ର ଅଟକାଇ ଦିଅନ୍ତୁ ଏବଂ ଭିତରେ ବସି ରୁହନ୍ତୁ ।
୪. ଯଦି ଆପଣ ଭଗ୍ନାବେଶଷ ତଳେ ପୋତି ହୋଇ ପଡ଼ିଛନ୍ତି, ତା’ ହେଲେ ହଲଚଲ ହୁଅନ୍ତୁ ନାହିଁ କି କୌଣସି ଜିନିଷକୁ ଧକ୍କା ଦିଅନ୍ତୁ ନାହିଁ ।