ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀ ଅଗ୍ନିଶମ ବିଭାଗ ମୁତାବକ, ନିଆଁ ପ୍ରଥମେ ଘରେ ଥିବା ଇନ୍‌ଭର୍ଟରରେ ଲାଗିଥିଲା । ଧୀରେ ଧୀରେ ଏହା ସୋଫା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା । ଦେଖୁ ଦେଖୁ ପୂରା ଘର ଧୂଆଁମୟ ହୋଇଯାଇଥିଲା । ଏଥିରେ ଅଣନିଃଶ୍ୱାସୀ ହୋଇପଡ଼ି ଘର ଭିତରେ ଥିବା ସ୍ୱାମୀ, ସ୍ତ୍ରୀ ଏବଂ ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି ।

ତେବେ ଅଗ୍ନିଶମ ବାହିନୀ ପ୍ରଥମେ ଏହି ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଏହି ଭୟଙ୍କର ଅଗ୍ନିକାଣ୍ଡ ବିଳମ୍ବିତ ରାତିରେ ଘଟିଥିବା କୁହାଯାଉଛି ।

ଖବର ଅନୁସାରେ, ରାତି ପାଖାପାଖି ସାଢ଼େ ୩ଟା ସମୟରେ ଘର ଭିତରେ ନିଆଁ ଲାଗିଥିଲା । ପ୍ରେମ୍‌ ନଗରର ଲୋକମାନେ ଏ ନେଇ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି କୌଣସି ପ୍ରକାରେ ନିଆଁକୁ ଆୟତ୍ତ କରିଥିଲା । ଏହି ସମୟରେ ପରିବାରର ୪ ଜଣ ସଦସ୍ୟଙ୍କୁ ଘର ଭିତରୁ ବାହାର କରାଯାଇ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା ।

ପୋଲିସ କହିଛି ଯେ ପ୍ରଥମ ମହଲାର ଇନ୍‌ଭର୍ଟର ଓ ସୋଫାରେ ପ୍ରଥମେ ନିଆଁ ଲାଗିଥିଲା । ଏହାପରେ ଏହା ବିକଟାଳ ରୂପ ଧାରଣ କରିଥିଲା । ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ, ୪୮ ବର୍ଷୀୟ ହୀରା ସିଂ, ୪୬ ବର୍ଷୀୟା ନୀତୁ ସିଂ ଏବଂ ୨୨ ଓ ୨୧ ବର୍ଷୀୟ ରୋବିନ୍‌ ଓ ଲକ୍ଷ୍ୟ ।

ଗତକାଲି ମଧ୍ୟ ଉତ୍ତମ ନଗର ଅଞ୍ଚଳରେ ଏହିପରି ଏକ ଘରେ ନିଆଁ ଲାଗିଥିଲା । ଏଠାରେ ସିଲିଣ୍ଡର ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଘଟଣାରେ ଜଣେ ଯୁବତୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ସେ ନିଆଁ କବଳରୁ ନିଜକୁ ରକ୍ଷା କରିବା ପାଇଁ ଉପରୁ ତଳକୁ ଡେଇଁ ପଡ଼ିଥିଲେ ।

You might also like