ତୁର୍କୀ: ହସ୍ପିଟାଲ ବିଲ୍ଡିଂ ସହ ଧକ୍କା ହୋଇ କ୍ରାସ୍ ହେଲା ଆମ୍ବୁଲାନ୍ସ ହେଲିକପ୍ଟର, ୪ ଜଣଙ୍କ ମୃତ୍ୟୁ
ଦକ୍ଷିଣ-ପଶ୍ଚିମ ତୁର୍କୀରେ ରବିବାର ଏକ ଆମ୍ବୁଲାନ୍ସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରଟି ଏକ ହସ୍ପିଟାଲ ବିଲ୍ଡିଂ ସହ ଧକ୍କା ହେବା ପରେ ତଳେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ତୁର୍କୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଆମ୍ବୁଲାନ୍ସ ହେଲିକପ୍ଟର ମୁଗଲା ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ହସ୍ପିଟାଲରୁ ଉଡ଼ାଣ ଭରିଥିଲା । ଏଥିରେ ଦୁଇଜଣ ପାଇଲଟ୍, ଜଣେ ଡାକ୍ତର ଏବଂ ଅନ୍ୟ ଜଣେ ମେଡିକାଲ କର୍ମଚାରୀ ଥିଲେ ।
ମୁଗଲା ଆଞ୍ଚଳିକ ଗଭର୍ଣ୍ଣର ଇଦରିସ୍ ଅକବିୟିକ୍ ଗଣମାଧ୍ୟମକୁ କହିଛନ୍ତି ଯେ ହେଲିକପ୍ଟରଟି ପ୍ରଥମେ ହସ୍ପିଟାଲର ଚତୁର୍ଥ ମହଲାକୁ ଧକ୍କା ଦେଇଥିଲା ଏବଂ ପରେ ତଳେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସମୟରେ ହସ୍ପିଟାଲ ଭିତରେ କେହି ମୃତାହତ ହୋଇନାହାନ୍ତି । ଏହି ଭୟଙ୍କର ଦୁର୍ଘଟଣାର କାରଣ ଖୋଜା ଚାଲିଛି ।
ରିପୋର୍ଟ ମୁତାବକ, ହେଲିକପ୍ଟର ଯେଉଁ ସମୟରେ ଉଡ଼ାଣ ଭରିଥିଲା, ସେହି ସମୟରେ ଅଞ୍ଚଳରେ ଘନ କୁହୁଡ଼ି ଛାଇ ରହିଥିଲା । ଦୁର୍ଘଟଣା ପରର ଏକ ଭିଡିଓ ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ହେଲିକପ୍ଟରର ଭଗ୍ନାବଶେଷ ହସ୍ପିଟାଲ ବାହାରେ ବିଛେଇ ହୋଇ ପଡ଼ିଥିବାର ଦେଖାଯାଉଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ଟିମ୍ ଅଛନ୍ତି ।
ଗଣମାଧ୍ୟମରେ ପ୍ରସାରିତ ଭିଡିଓ ଫୁଟେଜ୍ ଅନୁସାରେ, ହେଲିକପ୍ଟରଟି ଘନ କୁହୁଡ଼ି ଏବଂ କମ୍ ଦୃଶ୍ୟମାନ ସ୍ଥିତିରେ ମୁଗଲା ସହରର ଏକ ହସ୍ପିଟାଲ ଛାତରୁ ଉଡ଼ାଣ ଭରିଥିଲା ଏବଂ ଅଣ୍ଟାଲିଆ ସହର ଆଡ଼କୁ ଯାଉଥିଲା । ଉଡ଼ାଣ ଭରିବାର କିଛି ସମୟ ପରେ ଏହା କୁହୁଡ଼ିରେ ଘୁରି ବୁଲୁଥିଲା । ଏହାପରେ ହେଲିକପ୍ଟରଟି ହସ୍ପିଟାଲ ବିଲ୍ଡିଂକୁ ଧକ୍କା ଦେବା ପରେ ସେଠାରେ ଏକ ଖାଲି ସ୍ଥାନରେ ଖସିପଡ଼ିଥିଲା ।
ଏହି ହେଲିକପ୍ଟର କ୍ରାସରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ହସ୍ପିଟାଲ ବିଲ୍ଡିଂର ଉପର ଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାନ୍ଥ ଭାଙ୍ଗିଯାଇଛି । ଦୁର୍ଘଟଣାକୁ ନେଇ ଗଭର୍ଣ୍ଣର ଇଦରିସ୍ ଅକବିୟିକ୍ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
#BREAKING #Turkey A helicopter crashed into a hospital in southwestern Turkey, resulting in the deaths of four people. pic.twitter.com/36wbndLuPR
— The National Independent (@NationalIndNews) December 22, 2024