ସେଲଫି ନେବା ହେଲା କାଳ, ଜଳପ୍ରପାତରେ ଖସିପଡି ୪ ଯୁବତୀ ମୃତ

ଆଜିକାଲିକା ପିଲାଙ୍କର ସେଲଫି ନେବା ନିଶା ଜୀବନ ନେଇଯାଉଛି । ଫଟୋ ଉଠାଇବା ସମୟରେ ଏମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇଦେଉଛନ୍ତି। ଏମିତି ଏକ ଘଟଣା କର୍ଣ୍ଣାଟକରେ ଘଟିଛି। ଯେଉଁଠି ଏକ ଜଳପ୍ରପାତ ନିକଟରେ ସେଲଫି ନେବା ବେଳେ ୪ ଜଣ ଯୁବତୀ ପ୍ରାଣ ହରାଇଛନ୍ତି । ପିକନିକ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ରିପୋର୍ଟ ମୁତାବକ, ୪୦ ଜଣ ଯୁବତୀ କର୍ଣ୍ଣାଟକର ବେଲଗାଭିରେ କିଟଓ୍ଵାଡ ଜଳପ୍ରପାତକୁ ପିକନିକ କରିବାକୁ ଯାଇଥିଲେ। ଏହି ଜଳ ପ୍ରପାତ ନିକଟରେ ୫ ଜଣ ଯୁବତୀ ସେଲଫି ନେବା ସମୟରେ ଅସାବଧାନତା ଯୋଗୁଁ ପାଦ ଖସିଯାଇଥିଲା। ଫଳରେ ସେମାନେ ତଳକୁ ଖସି ପଡିଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସପିଟାଲକୁ ପଠାଇଥିଲେ। ହେଲେ ଅନ୍ୟ ୪ ଜଣଙ୍କ ପ୍ରାଣ ଚାଲିଯାଇଥିଲା। ମୃତ ୪ ଜଣ ଯୁବତୀ ମାଡ୍ରାସର ବେଲଗାଭିର କାମତ ଗଲିରେ ରହୁଥିଲେ ।

ତେବେ ସେହି ୪ ଜଣ ଯୁବତୀଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହାକୁ ନେଇ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି ।

ସୂଚନାଯୋଗ୍ୟ, କିଛିଦିନ ତଳେ କର୍ଣ୍ଣାଟକର ନୀରସାଗର ଡ୍ୟାମରେ ୨୨ ବର୍ଷୀୟ ଜଣେ ଯୁବକ ସେଲଫି ନେବା ସମୟରେ ଖସି ପଡି ମୃତ୍ୟୁବରଣ କରିଥିଲେ। ସେଥିପାଇଁ ପୋଲିସ ଏହି ଡ୍ୟାମକୁ ପର୍ଯ୍ୟଟକଙ୍କୁ ଆସିବାକୁ ବ୍ୟାନ୍‌ ମଧ୍ୟ କରିଦେଇଛି ।

ତେବେ ପିଲାମାନେ ନିଜର ଅସାବଧାନତା ଯୋଗୁଁ ଜୀବନ ହରାଇ ଦେଉଛନ୍ତି। ମୋବାଇଲ ସେଲଫି ନେବା ଚକ୍କରରେ ମୃତ୍ୟୁକୁ ଡାକି ଆଣୁଛନ୍ତି।

Leave A Reply

Your email address will not be published.