ଜମ୍ମୁ-କାଶ୍ମୀର: ନଦୀକୁ ଖସିପଡ଼ିଲା ଯାତ୍ରୀବାହୀ ଗାଡ଼ି, ୪ ଜଣଙ୍କ ମୃତ୍ୟୁ, ଡ୍ରାଇଭର ସମେତ ୨ ନିଖୋଜ
ଜମ୍ମୁ-କାଶ୍ମୀରର କିଶ୍ଚୱାରରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । କିଶ୍ଚୱାରର ପଦ୍ଦାର ଅଞ୍ଚଳରେ ଏକ ଗାଡ଼ି ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଗାଡ଼ିଟି ଅନିୟନ୍ତ୍ରିତ ହୋଇ ଗଭୀର ଘାଟିରେ ପଡ଼ିଯାଇଛି । ଏଥିରେ ୬ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଏବେ ଖୋଜା ଚାଲିଛି ।
ମିଳିଥିବା ସୂଚନା ମୁତାବକ, ଗାଡ଼ିରେ ଏହି ଲୋକମାନେ ମାସିରୁ ଗୁଲବର୍ଗ ଅଭିମୁଖେ ଯାତ୍ରା କରୁଥିଲେ । ଏହି ସମୟରେ ଗାଡ଼ି ସନ୍ୟାସ ନିକଟ ପାହାଡ଼ିଆ ରାସ୍ତାରୁ ଖସି ୧୫୦ ମିଟର ତଳେ ଚେନାବ ନଦୀରେ ପଡ଼ିଥିଲା ।
ଦୁର୍ଘଟଣାକୁ ନେଇ ଉଧମପୁର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଦୁଃଖ ପ୍ରକାଶ କରିଛନ୍ତି । ସେ ‘X’ରେ ଏକ ପୋଷ୍ଟରେ କହିଛନ୍ତି, ‘ଗାଡ଼ିରେ ଥିବା ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଡ୍ରାଇଭରଙ୍କ ସମେତ ଦୁଇ ଜଣଙ୍କୁ ଏ ପର୍ଯ୍ୟନ୍ତ ଖୋଜାଯାଇ ପାରିନାହିଁ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ହୃଦୟରୁ ସମବେଦନା ଜଣାଉଛି’ । ସେ ଆହୁରି କହିଛନ୍ତି, ‘ମୁଁ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ କିଶ୍ଚୱାରର ଡେପୁଟି କମିଶନର ରାଜେଶ କୁମାର ଶାୱନଙ୍କ ସହ ଯୋଗାଯୋଗ କରିଛି ଏବଂ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛି । ମୁଁ ପ୍ରତି ମୁହୂର୍ତ୍ତର ଖବର ନେଉଛି’।
ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସ୍ଥାନୀୟ ଲୋକ ଏବଂ ଟିମ୍ ସହାୟତାରେ ପୋଲିସ ନଦୀରେ ନିଖୋଜ ଲୋକଙ୍କୁ ଖୋଜୁଛି । କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ । ସେପଟେ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।