ରୋହତକରୁ ଦିଲ୍ଲୀ ଯାଉଥିବା ଟ୍ରେନରେ ବିସ୍ଫୋରଣ, ବଗିରେ ନିଆଁ ଲାଗି ୪ ଯାତ୍ରୀ ଗୁରୁତର

ହରିୟାଣାର ରୋହତକରୁ ଦିଲ୍ଲୀ ଯାଉଥିବା ଟ୍ରେନରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଫଳରେ ଏକ ବଗିରେ ନିଆଁ ଲାଗି ୪ ଜଣ ଯାତ୍ରୀ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି । ସେପଟେ ଦୌଡ଼ାଦୌଡ଼ି ସମୟରେ ଟ୍ରେନରୁ ଡେଇଁ ୪ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ରେଲୱେ ଏବଂ ସ୍ଥାନୀୟ ଥାନା ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି ।

ସୂଚନା ମୁତାବକ, ସୋମବାର ଅପରାହ୍ନ ୪ଟା ୨୦ରେ ସାମ୍ପଲା ଷ୍ଟେସନରୁ ଛାଡ଼ିବା ପରେ ରୋହତକ-ଦିଲ୍ଲୀ ପାସେଞ୍ଜର ଟ୍ରେନରେ ଧମାକା ହୋଇଥିଲା । କିଛି ଟ୍ରେନ ଯାତ୍ରୀ କହିଛନ୍ତି ଯେ ଆମେ ବାହାଦୂରଗଡ଼ ଯିବା ପାଇଁ ଏହି ପାସେଞ୍ଜର ଟ୍ରେନରେ ଚଢ଼ିଥିଲୁ । ଯେମିତି ଟ୍ରେନ ସାମ୍ପଲା ଷ୍ଟେସନରେ ପହଞ୍ଚିଥିଲା ଏବଂ ବାହାଦୂରଗଡ଼ ଯିବାକୁ ବାହାରିଥିଲା, ଠିକ୍ ସେତିକି ବେଳେ ଟ୍ରେନରେ ବିସ୍ଫୋରଣ ଘଟିଥିଲା ।

ବିସ୍ଫୋରଣ ସହିତ ଟ୍ରେନରେ ନିଆଁ ଲାଗିଯାଇଥିଲା । ପ୍ରଚଣ୍ଡ ଶବ୍ଦ ଶୁଣି ଟ୍ରେନରେ ବସିଥିବା ଯାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ଯାତ୍ରୀ ଟ୍ରେନରୁ ଡେଇଁ ପଡ଼ିବାରୁ ଆହତ ହୋଇଛନ୍ତି । ଏହିପରି ଅନ୍ୟ ୪ ଯାତ୍ରୀ ବିସ୍ଫୋରଣ ନିଆଁରେ ପୋଡ଼ି ହୋଇଯାଇଛନ୍ତି ।

କିଛି ମହିଳା ଓ ପୁରୁଷ ଯାତ୍ରୀ କହିଛନ୍ତି କି, ଆମେ ଟ୍ରେନରେ ନିଜ ନିଜ ସିଟରେ ବସିଥିଲୁ । ଯେଉଁ ସ୍ଥାନରେ ଜିନିଷ ରୁହେ, ସେଠାରେ ଦୀପାବଳିରେ ବିକ୍ରି ପାଇଁ ପୋଟାସିୟମ୍ ସଲଫେଟ୍ ରଖାଯାଇଥିଲା । ହେଲେ ସେଥିରେ ହଠାତ୍ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା । ଯେଉଁଥିପାଇଁ ଏହି ବଡ଼ ଦୁର୍ଘଟଣା ଘଟିଥିଲା ।

You might also like