ଆମେରିକାରେ ବିନାଶ ଘଟାଇଲା ‘ବେରିଲ୍’ ଘୂର୍ଣ୍ଣିଝଡ଼, ୪ ମୃତ; ୩୦ ଲକ୍ଷ ଘର ଅନ୍ଧାର

ଆମେରିକାର ଟେକ୍ସାସ୍ରେ ଘୂର୍ଣ୍ଣିଝଡ଼ ‘ବେରିଲ୍’ ବ୍ୟାପକ ବିନାଶ ଘଟାଇଛି । ଏହି ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାତ୍ୟାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ସବୁଠି ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି । ଏଥିଯୋଗୁ ପାଖାପାଖି ୩୦ ଲକ୍ଷ ଘର ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଅନ୍ଧାର ମଧ୍ୟରେ ରହିଛି ।
ନ୍ୟାସନାଲ ହରିକେନ୍ ସେଣ୍ଟର ସୋମବାର କହିଛି ଯେ ବେରିଲ୍ ଶ୍ରେଣୀ-୧ ଝଡ଼ ରୂପେ ମୋଟାଗୋର୍ଡା ନିକଟରେ ଲ୍ୟାଣ୍ଡଫଲ୍ କରିଥିଲା । ଏହାପରେ ସ୍କୁଲ, ଅଫିସ୍, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ବିତ୍ତୀୟ ସଂସ୍ଥାନଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା । ପୂର୍ବ ଟେକ୍ସାସ୍, ପଶ୍ଚିମ ଲୁଇସିୟାନା ଓ ଅରକାନ୍ସସ୍ର କିଛି ଅଞ୍ଚଳରେ ବନ୍ୟା, ଘଡ଼ଘଡ଼ି ସହ ବର୍ଷା ଏବଂ ପ୍ରବଳ ବଜ୍ରପାତ ହେବାର ସମ୍ଭାବନା ଥିବା ହରିକେନ୍ ସେଣ୍ଟର ପୂର୍ବାନୁମାନ କରିଛି ।
ଆମେରିକାରେ ଘୂର୍ଣ୍ଣିଝଡ଼ ବେଳେ ଘରେ ଉପରେ ଗଛ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବନ୍ୟା ପାଣିରେ ଫସି ହ୍ୟୁଷ୍ଟନ୍ ପୋଲିସର ଜଣେ କର୍ମଚାରୀଙ୍କ ଜୀବନ ଚାଲିଯାଇଛି । ଏହିପରି ନିଆଁ ଲାଗି ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ।
ବର୍ତ୍ତମାନ ଅଧିକାରୀମାନେ କ୍ଷୟକ୍ଷତିର ଆକଳନ କରିବା ଆରମ୍ଭ କରିଛନ୍ତି । ଏ ପର୍ଯ୍ୟନ୍ତ କେତେ କ୍ଷୟକ୍ଷତି ହୋଇଛି, ତାହା ବିଷୟରେ କୌଣସି ସୂଚନା ମିଳିପାରି ନାହିଁ । ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ଘରେ ହିଁ ରହିବାକୁ ଅପିଲ୍ କରିଛନ୍ତି । ମେୟର ଜନ୍ ହ୍ଵିଟ୍ମାୟର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସ୍ୱଚ୍ଛ ଆକାଶ ଦେଖି ବିପଦ ଟଳିଯାଇଛି ବୋଲି ଭାବନ୍ତୁ ନାହିଁ । ଏବେ ବି ସ୍ଥିତି ବିପଜ୍ଜନକ ରହିଛି ।