ନୋଏଡାର ୪ ବେସରକାରୀ ସ୍କୁଲକୁ ବୋମା ଧମକ, ଭୟଭୀତ ନ ହେବାକୁ ଛାତ୍ରଛାତ୍ରୀଙ୍କୁ ନିବେଦନ

ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲା ନୋଏଡାରେ ପୁଣି ସ୍କୁଲଗୁଡ଼ିକୁ ମିଳିଛି ବୋମା ଧମକ । ଏଠାରେ ୪ ବେସରକାରୀ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍ ଆସିଛି । ଆଜି ସକାଳେ ସ୍କୁଲଗୁଡ଼ିକୁ ଇମେଲ୍ ଆସିବା ପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ନୋଏଡା ପୋଲିସ, ଅଗ୍ନିଶମ ବାହିନୀ ଟିମ୍ ଏବଂ ବୋମା ନିରୋଧକ ଟିମ୍ ଷ୍ଟେପ୍ ବାଏ ଷ୍ଟେପ୍ ସ୍କୁଲ, ଦ ହେରିଟେଜ୍ ସ୍କୁଲ, ଜ୍ଞାନଶ୍ରୀ ସ୍କୁଲ ଓ ମୟୂର ସ୍କୁଲରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ସ୍କୁଲ ପରିସରଗୁଡ଼ିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । କେତେକ ସ୍କୁଲରେ ଶ୍ରେଣୀ ଗୃହ ମଧ୍ୟ ଯାଞ୍ଚ ଚାଲିଛି । ତେବେ ଏ ପର୍ଯ୍ୟନ୍ତ କୌଣସି ସ୍କୁଲରୁ କିଛି ସନ୍ଦେହଜନକ ବସ୍ତୁ ମିଳିନାହିଁ ।

ସତର୍କତାମୂଳକ ପଦକ୍ଷେପ ଭାବରେ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସେପଟେ ସାଇବର ଟିମ୍ ଏହି ଧମକପୂର୍ଣ୍ଣ ଇମେଲ୍ କେଉଁଠୁ ଆସିଛି ଏବଂ କିଏ ପଠାଇଛି, ତାହା ମଧ୍ୟ ଯାଞ୍ଚ କରୁଛି । ଏପରି ସ୍ଥିତିରେ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଭୟଭୀତ ନ ହେବାକୁ ଏବଂ ଶାନ୍ତ ରହିବାକୁ ନିବେଦନ କରାଯାଇଛି ।

ଏହା ପୂର୍ବରୁ ମୟୁର ସ୍କୁଲର ପ୍ରିନ୍ସିପାଲ ଅଭିଭାବକମାନଙ୍କୁ ଏକ ମେଲ୍ ପଠାଇ କହିଥିଲେ ଯେ ‘ଆମେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସତର୍କତାମୂଳକ ଭାବରେ ସ୍ଥାନାନ୍ତର ଆରମ୍ଭ କରିଛୁ । ବର୍ତ୍ତମାନ ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ପରିଦର୍ଶକମାନେ ସୁରକ୍ଷିତ ଭାବରେ ପଡ଼ିଆରେ ଏକାଠି ହୋଇଛନ୍ତି’ ।

ଏହା ମଧ୍ୟ ପଢ଼ନ୍ତୁ: ମୁମ୍ବାଇର ଦୁଇଟି ସ୍କୁଲକୁ ବୋମା ଧମକ, ଧମକପୂର୍ଣ୍ଣ ଇମେଲ ପଠାଇଛି ଅଫଜଲ୍ ଗ୍ୟାଙ୍ଗ୍ !

You might also like