ଗୋଟିଏ ନୁହେଁ, ଚୀନରେ ୪ଟି ଭାରିଆଣ୍ଟ ପାଇଁ ସୃଷ୍ଟି ହୋଇଛି ସାଂଘାତିକ ସ୍ଥିତି

ଚୀନରେ ମହାମାରୀ କରୋନାର ହାହାକର ସ୍ଥିତି । ଦୈନିକ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ଲକ୍ଷାଧିକ ଲୋକ ପ୍ରାଣ ହରାଉଛନ୍ତି । ଚୀନର ଏପରି ଭୟଙ୍କର ସ୍ଥିତି ଦେଖି ଭାରତ ସରକାର ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ତେବେ ଗୋଟିଏ ନୁହେଁ ୪ଟି କରୋନା ଭାରିଆଣ୍ଟ ଚୀନରେ ସୃଷ୍ଟି କରିଛି ସାଂଘାତିକ ସ୍ଥିତି । ଏପରି କହିଛନ୍ତି କୋଭିଡ଼ ମୁକାବିଲା ପ୍ୟାନେଲର ମୁଖ୍ୟ ଡାକ୍ତର ଏନ କେ ଆରୋରା ।

ଚୀନ ଭାଇରସର ଗୋଟିଏ କକ୍ଟେଲ ଯୋଗୁ ସଂକ୍ରମଣ ବୃଦ୍ଧି ପାଉଛି । ଚୀନରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କେବଳ ୧୫ ପ୍ରତିଶତ ଲୋକ ବିଏଫ ୭ ଦ୍ୱାରା ଆକ୍ରାନ୍ତ । ୫୦ ପ୍ରତିଶତରୁ ଅଧିକ ଲୋକ ବିଏନ ଓ ବିକ୍ୟୁ ସିରିଜ ଭାରିଆଣ୍ଟ ଦ୍ୱାରା ଆକ୍ରାନ୍ତ । ଆଉ ୧୦ରୁ ୧୫ ପ୍ରତିଶତ ଲୋକ ଏସଭିଭି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ। ଏହା ସହ ଡ. ଆରୋରା କହିଛନ୍ତି, ଚୀନର ଲୋକମାନେ ଆଗରୁ ଭାଇରସ ସାମ୍ନା କରିନାହାନ୍ତି । ସେମାନେ ନେଇଥିବା ଭ୍ୟାକ୍ସିନ କମ ପ୍ରଭାବଶାଳୀ। ଅଧିକାଂଶ ଚୀନବାସୀ ୩ରୁ ୪ ଡୋଜ ଭ୍ୟାକସିନ ନେଇଛନ୍ତି।

ମାତ୍ର ଭାରତରେ ସ୍ଥିତି ଅଲଗା। ଭ୍ୟାକ୍ସିନ ନେବା ଦ୍ୱାରା ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି । କରୋନାର ଦ୍ୱିତୀୟ ଓ ତୃତୀୟ ଲହରରେ ଅନେକ ଲୋକ ସଂକ୍ରମିତ ହୋଇଥିଲେ । ଯାହା ଦ୍ୱାରା ହାଇବ୍ରିଡ ଇମ୍ୟୁନିଟି ସୃଷ୍ଟି ହୋଇଛି । ଏପରିକି ଭାରତରେ ୧୨ରୁ କମ ବୟସର ଶିଶୁ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କୁ ମଧ୍ୟ ସଂକ୍ରମଣର ଏବେ କମ ଭୟ ରହିଛି ବୋଲି କହିଛନ୍ତି ଏନ୍.କେ ଆରୋରା ।

ଆହୁରି ଏକ ଖବର ଅନୁଯାୟୀ, ଚୀନରେ ଏଭଳି ସ୍ଥିତି ଥିଲେ ସୁଦ୍ଧା ଏଣିକି ବିଦେଶରୁ ଆସୁଥିବା ଲୋକଙ୍କୁ କୌଣସି ପ୍ରକାରର ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ନାହିଁ ବୋଲି ଜଣାପଡିଛି । ଏହି ନୂଆ ନିୟମ ଜାନୁଆରୀ ୮ରୁ କାର୍ଯ୍ୟକାରୀ ହେବ। ବର୍ତ୍ତମାନର ନିୟମ ଅନୁଯାୟୀ, ବିଦେଶ ଫେରନ୍ତା ବେଜିଂରେ ପହଞ୍ଚିବା ପରେ ପ୍ରଥମେ ୫ ଦିନ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବେ। ଏହାପରେ ସେମାନଙ୍କୁ ୩ ଦିନ ଘରେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ହେଲେ ଏବେ ଏହାକୁ ଚାଇନା ସରକାର ହଟାଇ ଦେଇଛନ୍ତି। କରୋନାର ମୁକାବିଲା କରିବା ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପ୍ରଶାସନ ସଂପୂର୍ଣ୍ଣ ଭାବେ ଜିରୋ କୋଭିଡ ନୀତିକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.