ପଶ୍ଚିମବଙ୍ଗରେ ୪ ବର୍ଷର ଝିଅକୁ ବାର୍ଡ ଫ୍ଲୁ, ସତର୍କ କଲା WHO

ବିଶ୍ୱର ଅନେକ ଦେଶରେ ବାର୍ଡ ଫ୍ଲୁ ମାମଲା ବଢ଼ି ଚାଲିଛି । ଆମେରିକାରୁ ନେଇ ୟୁରୋପ ପର୍ଯ୍ୟନ୍ତ ସବୁଠି ଏହି ରୋଗ ବ୍ୟାପିବାରେ ଲାଗିଛି । ଏହାରି ଭିତରେ ଭାରତରେ ବାର୍ଡ ଫ୍ଲୁ ଭାଇରସ୍ ମଣିଷଠାରେ ପହଞ୍ଚିଗଲାଣି । ଦେଶର ପଶ୍ଚିମବଙ୍ଗରେ ଜଣେ ୪ ବର୍ଷର ଶିଶୁ କନ୍ୟା ଏହି ଭାଇରସ୍ରେ ଆକ୍ରାନ୍ତ ହୋଇଛି । WHO ଏହି ସୂଚନା ଦେଇଛି ।
ଆଶଙ୍କା କରାଯାଉଛି ଯେ ଶିଶୁଠାରେ ଏହି ଭାଇରସ୍ କୌଣସି ପକ୍ଷୀଠାରୁ ଆସିଥାଇପାରେ । ଏମିତିରେ ସଂକ୍ରମିତ ଶିଶୁର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ଯାଞ୍ଚ କରାଯାଉଛି । ଶିଶୁର ନମୁନାରେ ବାର୍ଡ ଫ୍ଲୁ ଭାଇରସ୍ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଚିନ୍ତା ବଢ଼ିଯାଇଛି । ସେମାନେ ଲୋକମାନଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି ।
ଭାରତରେ କୌଣସି ମଣିଷଠାରେ ବାର୍ଡ ଫ୍ଲୁ ଚିହ୍ନଟ ହେବାର ଏହା ହେଉଛି ଦ୍ୱିତୀୟ ମାମଲା । ଏହା ପୂର୍ବରୁ ୨୦୧୯ରେ ଜଣେ ପିଲା ଏଥିରେ ସଂକ୍ରମିତ ମିଳିଥିଲା । ଯଦିଓ ଚିକିତ୍ସା ପରେ ପିଲାଟି ସୁସ୍ଥ ହୋଇଯାଇଥିଲା । ଏଥର ବି ଶିଶୁ ଶରୀରରେ ଭାଇରସ୍ ଚିହ୍ନଟ ହୋଇଛି । ପଶ୍ଚିମବଙ୍ଗରେ ଯେଉଁ ଶିଶୁଠାରେ ଏହି ଭାଇରସ୍ ମିଳିଛି, ସେ ହାଇପରଆକ୍ଟିଭ୍ ଏୟାରୱେ ରୋଗରେ ପୀଡ଼ିତ ଥିଲା । ଶିଶୁଟିକୁ ପ୍ରଥମେ ଜ୍ୱର ଏବଂ ପେଟ ଯନ୍ତ୍ରଣା ହୋଇଥିଲା ।
ଏକ ସରକାରୀ ହସ୍ପିଟାଲର ଲ୍ୟାବ୍ରେ ଇନ୍ଫ୍ଲୁଏଞ୍ଜା ବି ଏବଂ ଏଡିନୋଭାଇରସ୍ ମିଳିଥିଲା । ଏମିତିରେ ବାର୍ଡ ଫ୍ଲୁ ହେବାର ଆଶଙ୍କା ବଢ଼ିଯାଇଥିଲା । ଏହି କାରଣରୁ ଶିଶୁର ନମୁନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠାଯାଇଥିଲା । ସେଠାରେ ଲ୍ୟାବ୍ ଟେଷ୍ଟରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା । WHO ମଙ୍ଗଳବାର ବିଳମ୍ବିତ ରାତିରେ ଏହି ମାମଲା ନିଶ୍ଚିତ କରିଛି ।
କହି ରଖୁଛୁ ଯେ କିଛି ଦିନ ପୂର୍ବରୁ ମେକ୍ସିକୋରେ ଜଣେ ବ୍ୟକ୍ତି ବାର୍ଡ ଫ୍ଲୁର ଶିକାର ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ଭାରତରେ ବାର୍ଡ ଫ୍ଲୁ ଭାଇରସ୍କୁ ନେଇ ଚିନ୍ତା ବଢ଼ିଯାଇଛି ।
ବାର୍ଡ ଫ୍ଲୁକୁ ଆଭିଆନ୍ ଇନ୍ଫ୍ଲୁଏଞ୍ଜା ମଧ୍ୟ କୁହନ୍ତି, ଯାହା ଏକ ଭାଇରାଲ ଇନ୍ଫେକ୍ସନ । ଏହା ପକ୍ଷୀମାନଙ୍କଠାରୁ ପକ୍ଷୀଙ୍କୁ ବ୍ୟାପିଥାଏ ଏବଂ ଏହି ସଂକ୍ରମଣ ଅଧିକାଂଶ ପକ୍ଷୀଙ୍କ ପାଇଁ ମରଣାନ୍ତକ ମଧ୍ୟ ପାଲଟେ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ମୁତାବକ, ବାର୍ଡ ଫ୍ଲୁ କିମ୍ବା ଆଭିଆନ୍ ଫ୍ଲୁ ଏ ଟାଇପ୍ର ଇନ୍ଫ୍ଲୁଏଞ୍ଜା ଭାଇରସ୍ । ଏହା ମଣିଷ ସହିତ ଜୀବଜନ୍ତୁମାନଙ୍କୁ ମଧ୍ୟ ସଂକ୍ରମିତ କରିପାରେ ।