ଜଘନ୍ୟ! ପାଉଁଜି ଚୋରି କରିଥିଲା ବୋଲି…୪ ବର୍ଷର ଶିଶୁକନ୍ୟାକୁ ପଥରରେ ଛେଚି ହତ୍ୟା କଲେ ମହିଳା; ସ୍ୱାମୀଙ୍କୁ ଲୁଚାଇଥିଲେ ପୂରା ଘଟଣା

କ’ଣ ଏମିତି ବି ମଣିଷ ପାଗଳାମୀ କରିବସେ। ସାମାନ୍ୟ ଜିନିଷ ଚୋରି ପାଇଁ କ’ଣ କେହି କେବେ କାହାର ଜୀବନ ନେଇପାରେ। ରାଜସ୍ଥାନର ଝାଲାଓ୍ଵାର ଅଞ୍ଚଳରୁ ଆସିଛି ଏମିତି ଏକ ହୃଦୟବିଦାରକ ଘଟଣା। ଏଠାରେ ୪ ବର୍ଷର ଏକ ଶିଶୁକନ୍ୟାକୁ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଛି। ଆଉ ହତ୍ୟା ପଛର କାରଣ ଯାହା ରହିଛି, ତାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। କାରଣଟି ହେଲା, ଝିଅଟି ପାଉଁଜି ଚୋରି କରିଥିବା ନେଇ ହତ୍ୟାକାରୀ ସନ୍ଦେହ କରୁଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ହତ୍ୟାକାରୀ ଜଣେ ମହିଳା, ଯିଏକି ନିରୀହ ଝିଅଟିର ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ନିଜ ଘର ଭିତରେ ପୋତି ଦେଇଥିଲେ।

ଚକୋଲେଟ୍‌ ଦେବାର ଲୋଭ ଦେଖାଇଥିଲେ ମହିଳା

ପୋଲିସ ମୁତାବକ, ଭବାନୀ ମଣ୍ଡି ଥାନା ଅଞ୍ଚଳରେ ଏହି ଲୋହର୍ଷଣକାରୀ ଘଟଣା ଘଟିଛି। ୨୯ ବର୍ଷୀୟା ଜଣେ ମହିଳା ଶନିବାର ସନ୍ଧ୍ୟାରେ ଚକୋଲେଟ୍‌ ଦେବା ବାହାନାରେ ଝିଅକୁ ଘର ଭିତରକୁ ଡାକି ନେଇଥିଲେ। ଆଉ ଏହାପରେ ସେ ଘଟାଇ ଥିଲେ ବର୍ବରୋଚିତ ହତ୍ୟାକାଣ୍ଡ। ମହିଳା ଜଣକ ନିଜର ହିତାହତ ଜ୍ଞାନ ଭୁଲି ଯାଇଥିଲେ। ଝିଅର ମୁଣ୍ଡକୁ ପଥରରେ ଶକ୍ତ ଆଘାତ ପକାଇବା ପରେ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ଘର ଭିତରେ ମାଟି ଖୋଲି ପୋତି ଦେଇଥିଲେ।

ଏମିତି ହେଲା ଘଟଣାର ଖୁଲାସା

ଝିଅ ନିଖୋଜ ହୋଇ ଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ତତ୍ପର ହୋଇ ଉଠିଥିଲା। ରବିବାର ସକାଳେ ପୋଲିସ ମହିଳାଙ୍କ ଘର ଭିତରୁ ମୃତଦେହକୁ ଜବତ କରିବା ସହ ସେହି ରାତିରେ ତାଙ୍କୁ ଗିରଫ କରିଥିଲା। ସୋମବାର ମହିଳାଙ୍କୁ କୋର୍ଟରେ ହାଜର କରାଯାଇଥିଲା, ସେଠାରୁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

ଦୋଷ ସ୍ୱୀକାର କରିଥିଲେ ଅଭିଯୁକ୍ତ

ଭବାନୀ ମଣ୍ଡି ଥାନାର ସର୍କଲ ଇନ୍ସପେକ୍ଟର ମହେଶ ସିଂ କହିଛନ୍ତି ଯେ ଅଭିଯୁକ୍ତ ମହିଳା ଏଭଳି କାଣ୍ଡ ଘଟାଇଥିବା ନେଇ ନିଜର ଦୋଷ ସ୍ୱୀକାର କରିଛନ୍ତି। ପୋଲିସ ତାଙ୍କଠାରୁ ପାଉଁଜି ଜବତ କରିଛି। ପୋଲିସର କହିବା ମୁତାବକ, ମହିଳା ଏହି ଘଟଣା ବିଷୟରେ ସ୍ୱାମୀଙ୍କୁ ବି ଜଣାଇ ନାହାନ୍ତି। କହି ରଖୁଛୁ ଯେ ୪ ବର୍ଷର କୁନି ଝିଅଟି ମଧ୍ୟ ପ୍ରଦେଶର ସୁଓ୍ଵାସରାରେ ରହୁଥିଲା। କିନ୍ତୁ ଗତ ୪ ମାସ ହେବ ସେ ନିଜ ମା’ ସହ ରାଜସ୍ଥାନର ମୋହରପୁର ଗାଁରେ ଅଜା, ଆଈଙ୍କ ପାଖରେ ରହି ଆସୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.