ବେଙ୍ଗାଲୁରୁରେ ଆୟକର ଚଢ଼ାଉ, ଖଟ ତଳୁ ମିଳିଲା ୪୨ କୋଟି ଟଙ୍କା; ୫ ନିର୍ବାଚନୀ ରାଜ୍ୟରେ ହେବାକୁ ଥିଲା ଫଣ୍ଡିଂ

କୋଟିଏ କି ୨ କୋଟି ନୁହେଁ, ନଗଦ ୪୨ କୋଟି ଟଙ୍କା। ଆୟକର ବିଭାଗ ଚଢ଼ାଉରେ ଖଟ ତଳୁ ମିଳିଛି ୪୨ କୋଟି ଟଙ୍କା। କର୍ଣ୍ଣାଟକରେ ଆୟକର ବିଭାଗ ଚଢ଼ାଉ ସମୟରେ ଏହି ବିପୁଳ ପରିମାଣର ନଗଦ ରାଶି ଜବତ କରାଯାଇଛି।

କୋଟିଏ କି ୨ କୋଟି ନୁହେଁ, ନଗଦ ୪୨ କୋଟି ଟଙ୍କା। ଆୟକର ବିଭାଗ ଚଢ଼ାଉରେ ଖଟ ତଳୁ ମିଳିଛି ୪୨ କୋଟି ଟଙ୍କା। କର୍ଣ୍ଣାଟକରେ ଆୟକର ବିଭାଗ ଚଢ଼ାଉ ସମୟରେ ଏହି ବିପୁଳ ପରିମାଣର ନଗଦ ରାଶି ଜବତ କରାଯାଇଛି। ବିଭାଗ ପକ୍ଷରୁ ରାଜଧାନୀ ବେଙ୍ଗାଲୁରୁରେ ଚଢ଼ାଉ ବେଳେ ନଗଦ ୪୨ କୋଟି ଟଙ୍କା ଏକ ଫ୍ଲାଟ୍‌ରୁ ମିଳିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

ଖଟ ତଳେ ରଖାଯାଇଥିବା ୨୩ଟି ପେଟି ଭିତରୁ ୪୨ କୋଟି ଟଙ୍କା ମିଳିଛି। ସମସ୍ତ ନୋଟ୍ ୫୦୦ ଟଙ୍କିଆ ରହିଛି। ଏହି ମାମଲାରେ ଆୟକର ବିଭାଗ ପକ୍ଷରୁ ପୂର୍ବତନ କାଉନସିଲର ଏବଂ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ ଏହି ନଗଦ ରାଶି ପାଞ୍ଚ ନିର୍ବାଚନୀ ରାଜ୍ୟରେ ଫଣ୍ଡିଙ୍ଗ୍‌ ପାଇଁ ସଂଗ୍ରହ କରାଯାଇଥିଲା।

ସୂଚନାଥାଉ କି, କିଛି ଦିନ ମଧ୍ୟରେ ରାଜସ୍ଥାନ, ମିଜୋରାମ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାର ଅଛି। ଏହି ଟଙ୍କା ସେଠାକୁ ଯିବାର ଥିଲା। ଏତେଗୁଡ଼ିଏ ଟଙ୍କାକୁ ବେଙ୍ଗାଲୁରୁର ସୁନା ଅଳଙ୍କାର ବିକ୍ରେତା ଏବଂ ଅନ୍ୟାନ୍ୟ ସ୍ରୋତରୁ ସଂଗ୍ରହ କରାଯାଇଥିଲା, ଯାହା ବିଷୟରେ ଆୟକର ବିଭାଗକୁ ଇନପୁଟ୍ ମିଳିଥିଲା।

ଆରଟି ନଗର ନିକଟ ଆତ୍ମାନନ୍ଦା କଲୋନୀସ୍ଥିତ ଏକ ଫ୍ଲାଟ ବିଷୟରେ ବିଭାଗ ସୂଚନା ପାଇଥିଲା। ଏହାପରେ ବିଭାଗୀୟ ଅଧିକାରୀମାନେ ସେଠାରେ ଚଢ଼ାଉ କରିଥିଲେ। ଏହି ସମୟରେ ୪୨ କୋଟି ଟଙ୍କାର ନଗଦ ରାଶି ଜବତ କରାଯାଇଥିଲା। ବିଭାଗ ମୁତାବକ, ଆରଟି ନଗରର ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। କିନ୍ତୁ ଏହି ରାଶି ଗୋଟିଏ ସ୍ଥାନରୁ ମିଳିଛି।