ତାଇୱାନ: ବିଲଡିଂରେ ଭୟଙ୍କର ନିଆଁ ଲାଗି ୪୬ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ : ଆଜି ଦକ୍ଷିଣ ତାଇୱାନର ୟାନଚେଙ୍ଗ ଜିଲ୍ଲାର କାଓହସିଙ୍ଗ ସହରରେ ଅବସ୍ଥିତ ୧୩ ମହଲା ବିଶିଷ୍ଟ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ହେବାରୁ ୪୬ ଜଣଙ୍କ ମୃତ୍ୟୁ ହୋଇଛି। ସମୟ ୨ଟା ୫୪ ମିନିଟ ସମୟରେ ଏଭଳି ଘଟଣା ଘଟିଥିବା ଦେଶର ସରକାରୀ କେନ୍ଦ୍ରୀୟ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି। ଅଗ୍ନିକାଣ୍ଡ ବାବଦରେ ଖବର ମିଳିବା ପରେ ତତ୍କାଳ ଉଦ୍ଧାର ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା।

ପ୍ରାୟ ୩୭୭ ଜଣ ଉଦ୍ଧାରକାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିବା କାଓହସିଙ୍ଗ ସହର ଫାୟାର ବ୍ୟୁରୋ ପକ୍ଷରୁ କୁହାଯାଇଛି। ଅଗ୍ନିକାଣ୍ଡରେ ୪୧ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ପ୍ରଥମେ ସ୍ଥାନୀୟ କର୍ତ୍ତୃପକ୍ଷ କହିଥିଲେ ହେଲେ ସହରର ଅଗ୍ନିଶମ ବିଭାଗ ମୁଖ୍ୟ ଲି ଚିଙ୍ଗ-ହିସୁ ଚେତାବନୀ ଦେଇଛନ୍ତି ଯେ ୧୩ ମହଲା ବିଶିଷ୍ଟ କୋଠାରେ ସପ୍ତମରୁ ଏକାଦଶ ମହଲା ମଧ୍ୟରେ କିଛି ଲୋକ ଫସି ରହିଯାଇଥିଲେ ।

ସୂଚନା ଅନୁସାରେ ନିଆଁ ଲିଭାଇବା କାର୍ଯ୍ୟରେ ମୋଟ ୧୩୯ ଅଗ୍ନିଶମ ଟ୍ରକ୍ ଏବଂ ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ମଧ୍ୟାହ୍ନ ସୁଦ୍ଧା ୮ ବର୍ଷରୁ ୮୩ ବର୍ଷ ବୟସ ମଧ୍ୟରେ ଅତି କମରେ ୬୨ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡ ହୋଇଥିବା ଏହି ଘରେ ରହୁଥିବା ଶହେରୁ ଅଧିକ ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ଶାରିରୀକ ଭିନ୍ନକ୍ଷମ ଏବଂ ବୟସ୍କ ନାଗରିକ। ଏହି ଅଗ୍ନିକାଣ୍ଡ ପଛରେ କେଉଁ କାରଣ ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସ୍ଥାନୀୟ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ମାନବୀୟ କାରଣରୁ ଏହି ଘଟଣା ଘଟିଥାଇ ପାରେ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.