ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ୪ର୍ଥ ଅଭିଯୁକ୍ତ ଗିରଫ, ୩ ଜଣ ଅଛନ୍ତି ନାବାଳକ
କେନ୍ୟୁଜ୍(ବ୍ୟୁରୋ): ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ଚତୁର୍ଥ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ନାବାଳକ। ଗତକାଲି ୩ ଜଣ ଗିରଫ ହୋଇଥିଲେ । ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର ରହିଛି । ୫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଟିଆରଏସ୍ ନେତାଙ୍କ ନାବାଳକ ପୁଅ ରହିଛି । ମେ ୨୮ରେ ହାଇଦ୍ରାବାଦ ଜୁବୁଲି ହିଲ୍ରେ ଜଘନ୍ୟ ଗଣଦୁଷ୍କର୍ମ ହୋଇଥିଲା। ଜଣେ ୧୭ ବର୍ଷର ନାବାଳିକା ପାର୍ଟିରୁ ଫେରି ଏକ ପବ୍ ଆଗରେ ଛିଡ଼ା ହୋଇଥିବା ବେଳେ ଅଭିଯୁକ୍ତମାନେ ଘରେ ଛାଡ଼ିଦେବାକୁ କହି ଏକ ମର୍ସିଡିଜ୍ କାରରେ ଲିଫ୍ଟ ଦେଇଥିଲେ । କିଛି ବାଟ ଆଣିବା ପରେ ଏକ କଫି ସପ୍ରେ କାର୍ ବଦଳାଇ ସହର ଭିତରେ ଥିବା ଏକ ପାର୍କିଂ ସ୍ଥାନକୁ ଯାଇଥିଲେ । ସେଠାରେ କାର ଭିତରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ ।
ଜଣେ ଦୁଷ୍କର୍ମ କରୁଥିବା ବେଳେ ଅନ୍ୟମାନେ ବାହାରେ ଜଗି ରହୁଥିଲେ । ଏହି ନାଲି ରଙ୍ଗର କାର୍ ଜବତ କରାଯାଇଛି । ଜୁବୁଲି ହିଲ୍ ପୋଲିସ୍ ଷ୍ଟେସନ୍ରେ ପହଞ୍ଚି ତଥ୍ୟ ପ୍ରମାଣ ସଂଗ୍ରହ କରିଛି ଫରେନ୍ସିକ୍ ଟିମ୍ । ଅନ୍ୟପଟେ ୨ ଦିନ ଭିତରେ ପୂରା ରିପୋର୍ଟ ଦାଖଲ କରିବାକୁ ତେଲେଙ୍ଗାନା ମୁଖ୍ୟ ସଚିବ ଓ ଡିଜିପିଙ୍କୁ ନୋଟିସ କରିଛନ୍ତି ରାଜ୍ୟପାଳ ତମିଲ୍ସାଇ ସୌନ୍ଦରାଜନ୍ । ସେପଟେ ଏଫଆଇଆର କରିବାରେ କାହିଁକି ବିଳମ୍ବ ହେଲା ବୋଲି ହାଇଦ୍ରାବାଦ ପୋଲିସ୍କୁ ଜବାବ ତଲବ କରିଛି ଏନସିପିସିଆର। ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ତେଲେଙ୍ଗାନା ବିଜେପି ।