ରାତି ଅଧରେ ଥରିଲା ଲଦାଖ, ୫.୨ ତୀବ୍ରତାର ଭୂକମ୍ପ ଝଟକା

ଭୂକମ୍ପ ଝଟକାରେ ଥରିଲା ଲଦାଖ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେକର୍ଡ କରାଯାଇଛି । କେବଳ ଲଦାଖ ନୁହେଁ ଜମ୍ମୁ କଶ୍ମୀରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ଗଭୀରତା ୧୫ କିଲୋମିଟର ଥିବା ଜଣାପଡ଼ିଛି ।

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ ଭୂକମ୍ପଟି ବିଳମ୍ବିତ ରାତି ପ୍ରାୟ ୨ଟା ୫୦ରେ ହୋଇଥିଲା । ଭୂକମ୍ପ ହେବା ମାତ୍ରେ ଭୟଭୀତ ହୋଇ ଲୋକେ ଘରୁ ବାହାରକୁ ପଳାଇଆସିଥିଲେ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର ଆସିନି ।

ଲେହ ଏବଂ ଲଦାଖ ଉଭୟ ଦେଶର ଭୂକମ୍ପୀୟ ଜୋନ୍-୪ ରେ ପଡ଼ିଥାଏ, ଏହି ଜୋନ୍ ଭୂମିକମ୍ପ ଦୃଷ୍ଟିକୋଣରୁ ବହୁତ ବିପଜ୍ଜନକ ବୋଲି ବିବେଚନା କରାଯାଏ । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ ପୋଷ୍ଟରେ କହିଛି କି, “ଆଜି ବିଳମ୍ବିତ ରାତି ୨ଟା ୫୦ ମିନିଟ ସମୟରେ, ଲଦାଖର କାରଗିଲରେ ୫.୨ ତୀବ୍ରତାର ଏକ ଭୂମିକମ୍ପ ରେକର୍ଡ କରାଯାଇଛି।”

ସୂଚନାଯୋଗ୍ୟ, ଗତକାଲି ଗୁଜରାଟର ସୌରାଷ୍ଟ୍ର ଜିଲ୍ଲାର ଆମରେଲି ସହରରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୩.୨ ରହିଥିଲା । ଏହାର ଗଭୀରତା ୬.୪ କିମି ରହିଥିଲା । ଭୂକମ୍ପର କେନ୍ଦ୍ର ଅମରେଲୀ ସ୍ଥିତ ରହିଥିଲା । ତେବେ ଘଟଣାରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନଥିଲା । ୨୭ ଫେବୃଆରୀ ସକାଳେ ଆସାମର ମୋରିଗାଓଁ ଜିଲ୍ଲାରେ ୫.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର ଝଟକା ଗୌହାଟି ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଅନୁଭୂତ ହୋଇଥିଲା ।

ଗୁଜରାଟର କଚ୍ଛରେ ମଙ୍ଗଳବାର ଦିନ ଦୁଇଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୦ ଏବଂ ୨.୮ ରେକର୍ଡ କରାଯାଇଥିଲା ।

Also Read : ତାଇୱାନ ଏବଂ ଗୁଜରାଟରେ ଭୂକମ୍ପ ଝଟକା, ୫.୨ ତୀବ୍ରତାର ଭୂକମ୍ପରେ ଦୋହଲିଲା ତାଇୱାନ