୫.୭ ଝଟ୍‌କାରେ ଥରିଲା ଆଫ୍‌ଗାନିସ୍ତାନ, ଦିଲ୍ଲୀ ଯାଏ କମ୍ପନ ଅନୁଭୂତ

ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ପ୍ରଭାବ ଦିଲ୍ଲୀ-ଏନ୍‌ସିଆର୍‌ ପର୍ଯ୍ୟନ୍ତ ଦେଖାଯାଇଛି । ଆଫଗାନିସ୍ତାନରେ ଏତେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ଯେ ଦିଲ୍ଲୀ-ଏନ୍‌ସିଆର୍‌ରେ ମଧ୍ୟ ଭୂମି କମ୍ପି ଉଠିଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୭ ମପାଯାଇଛି ।

ଏହି ଭୂମିକମ୍ପ ୨୫୫ କିଲୋମିଟର ଗଭୀରରେ ରେକର୍ଡ କରାଯାଇଛି । ଆଫଗାନିସ୍ତାନର ସମୟ ମୁତାବକ, ଆଜି ଦିନ ୧୧ଟା ୨୬ ମିନିଟ୍‌ ୩୮ ସେକେଣ୍ଡରେ ଭୂମିକମ୍ପ ଆସିଥିଲା । ଦିଲ୍ଲୀ ର୍ପଯ୍ୟନ୍ତ ଏହାର ପ୍ରଭାବ ଦେଖାଯାଇଥିଲା । କମ୍ପନ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ପଦାକୁ ବାହାରି ଆସିଥିଲେ । ତେବେ ଏଥିରେ କୌଣସି କ୍ଷୟକ୍ଷତିର ଖବର ନାହିଁ ।

ଦୁଇ ସପ୍ତାହ ପୂର୍ବରୁ ମଧ୍ୟ ଆଫଗାନିସ୍ତାନରେ ଏକ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୪.୮ । ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲା । ଭୂମିକମ୍ପ ପାଇଁ ଆଫଗାନିସ୍ତାନ ଅତ୍ୟନ୍ତ ସମ୍ବଦେନଶୀଳ । ଏହାପୂର୍ବରୁ ତାଇୱାନରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ।

ପ୍ରତିବର୍ଷ ବିଶ୍ୱରେ ପାଖାପାଖି ୨୦ ହଜାର ଭୂମିକମ୍ପ ଆସିଥାଏ, କିନ୍ତୁ ଏଗୁଡ଼ିକର ତୀବ୍ରତା ଅଧିକ ନ ଥାଏ । ଜାତୀୟ ଭୂମିକମ୍ପ ସୂଚନା କେନ୍ଦ୍ର ଏହି ଭୂକମ୍ପକୁ ରେକର୍ଡ କରିଥାଏ । ୨୦ ହଜାର ମଧ୍ୟରୁ କେବଳ ୧୦୦ଟି ଭୂମିକମ୍ପ କ୍ଷୟକ୍ଷତି ଘଟାଇଥାଏ । ଇତିହାସରେ ସବୁଠାରୁ ଦୀର୍ଘସ୍ଥାୟୀ ଭୂମିକମ୍ପ ୨୦୦୪ ମସିହାରେ ଭାରତ ମହାସାଗରରେ ଆସିଥିଲା । ଏହି ଭୂମିକମ୍ପ ୧୦ ମିନିଟ୍ ଧରି ଅନୁଭୂତ ହୋଇଥିଲା ।

ଆପଣଙ୍କ ଅଞ୍ଚଳରେ ଭୂମିକମ୍ପ ଆସିଲେ କ’ଣ କରିବେ ଏବଂ କ’ଣ କରିବେ ନାହିଁ ?

୧. ଯଦି ଆପଣ କୋଠା ଘର ଭିତରେ ଅଛନ୍ତି, ତେବେ ଚଟାଣରେ ବସି ଯାଆନ୍ତୁ କିମ୍ବା କୌଣସି ଶକ୍ତିଶାଳୀ ଆସବାବପତ୍ର ତଳକୁ ଚାଲି ଯାଆନ୍ତୁ । ଯଦି କୌଣସି ଟେବୁଲ୍ କିମ୍ବା ଆସବାବପତ୍ର ନାହିଁ, ତା’ ହେଲେ ନିଜ ମୁହଁ ଓ ମୁଣ୍ଡକୁ ହାତରେ ଢାଙ୍କି ନିଅନ୍ତୁ ଏବଂ ରୁମ୍‌ର ଏକ କୋଣରେ ଯାଇ ବସନ୍ତୁ ।

୨. ଯଦି ଆପଣ ବିଲ୍ଡିଂ ବାହାରେ ଅଛନ୍ତି, ତେବେ ବିଲ୍ଡିଂ, ଗଛ, ପୋଲ ଏବଂ ବୈଦ୍ୟୁତିକ ତାରଠାରୁ ଦୂରରେ ରୁହନ୍ତୁ ।

୩. ଯଦି ଆପଣ କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି, ତା’ ହେଲେ ଗାଡ଼ିକୁ ଯଥାଶୀଘ୍ର ଅଟକାଇ ଦିଅନ୍ତୁ ଏବଂ ଭିତରେ ବସି ରୁହନ୍ତୁ ।

୪. ଯଦି ଆପଣ ଭଗ୍ନାବେଶଷ ତଳେ ପୋତି ହୋଇ ପଡ଼ିଛନ୍ତି, ତା’ ହେଲେ ହଲଚଲ ହୁଅନ୍ତୁ ନାହିଁ କି କୌଣସି ଜିନିଷକୁ ଧକ୍କା ଦିଅନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like